ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରଥମ ଦିନର ରଥଟଣା କାର୍ଯ୍ୟ ସୂର୍ଯ୍ୟାସ୍ତ ପରେ ସ୍ଥଗିତ ରଖାଯାଇଛି। ପରମ୍ପରା ଅନୁଯାୟୀ ସନ୍ଧ୍ୟା ହୋଇଯିବାରୁ ଗୁରୁବାର ପାଇଁ ରଥଟଣା ବନ୍ଦ କରାଯାଇଛି। ବର୍ତ୍ତମାନ ବଡ଼ଭାଇ ବଳଭଦ୍ରଙ୍କ 'ତାଳଧ୍ୱଜ' ରଥ ମାର୍କେଟ ଛକ ନିକଟରେ ଅଟକିଥିବା ବେଳେ ଦେବୀ ସୁଭଦ୍ରାଙ୍କ 'ଦର୍ପଦଳନ' ରଥ ମରିଚିକୋଟ ଛକରେ ରହିଛି। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ରଥ 'ନନ୍ଦିଘୋଷ' ହାତେ ଗଡ଼ିବା ପରେ ସିଂହଦ୍ୱାର ନିକଟରେ ଅଟକି ରହିଛି।
ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ସାଢ଼େ ୯ଟାରୁ ପୁନର୍ବାର ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିନୋଟିଯାକ ରଥକୁ ଶରଧାବାଲିରେ ପହଞ୍ଚାଇବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାପରେ ଶନିବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରସିଦ୍ଧ 'ଆଡ଼ପ ବିଜେ' ନୀତି ଅନୁଷ୍ଠିତ ହେବ, ଯେଉଁଠାରେ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ।
ଅପ୍ରୀତିକର ପରିସ୍ଥିତି ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଅନ୍ୟପଟେ, ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିବା ଅଭାବନୀୟ ଜନଗହଳି ଓ ଜଣେ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ ଘଟଣା ଉପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। ତଥାପି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅସୁସ୍ଥମାନଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି।
ନୀତିକାନ୍ତିରେ ବିଳମ୍ବ ସମ୍ପର୍କରେ ସ୍ପଷ୍ଟୀକରଣ
ରଥଟଣାରେ ବିଳମ୍ବ ହେବା ସମ୍ପର୍କରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି କାରଣରୁ ରଥ ଉପରେ ହେବାକୁ ଥିବା ପରବର୍ତ୍ତୀ ନୀତିକାନ୍ତି ଗୁଡ଼ିକରେ ମଧ୍ୟ ସାମାନ୍ୟ ବିଳମ୍ବ ଘଟିଥିଲା। ତେବେ ଗତବର୍ଷ ଭଳି ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବା ଭଳି କୌଣସି ବଡ଼ ସମସ୍ୟା ଉପୁଜି ନାହିଁ ବୋଲି ସେ ସୂଚନା ଦେଇଛନ୍ତି।