କାର୍ଡିଫ୍: ଲଗାତାର ୬ଟି ଦିନିକିଆ ମ୍ୟାଚ୍ରେ ଭାରତ ହାତରୁ ପରାଜୟର ସ୍ୱାଦ ଚାଖିବା ପରେ ଶେଷରେ ବିଜୟ ପଥକୁ ଫେରିଛି ଇଂଲଣ୍ଡ। କାର୍ଡିଫ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଷ୍ଟାର୍ ବ୍ୟାଟର ଜୋ ରୁଟ୍ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ଦୀର୍ଘ ୪ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ବିପକ୍ଷରେ ଦିନିକିଆ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ଏହାପୂର୍ବରୁ ୨୦୨୨ ମସିହାରେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଶେଷ ଦିନିକିଆ ଜିତିଥିଲା। ବିଜୟ ସହ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରି ପାରିଛି ।
ପିଚ୍ର ଗୋଟିଏ ପଟେ କ୍ରମାଗତ ଭାବେ ୱିକେଟ୍ ପଡ଼ୁଥିବା ବେଳେ ଅନ୍ୟପଟେ କାନ୍ଥ ଭଳି ଠିଆ ହୋଇ ରହିଥିଲେ ଜୋ ରୁଟ୍। ସେ ଏକାକୀ ଦଳକୁ ଜିତାଇବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ରୁଟ୍ ୧୩୩ଟି ବଲ୍ର ସାମ୍ନା କରି ୯ଟି ଚୌକା ସହାୟତାରେ ୯୯ ରନର ଏକ ଅପରାଜିତ ଓ ସ୍ମରଣୀୟ ପାରୀ ଖେଳିଥିଲେ। ମାତ୍ର ୧ ରନ୍ ପାଇଁ ସେ ନିଜର ଶତକ ହାସଲ କରିପାରି ନଥିଲେ ମଧ୍ୟ ଦଳକୁ ଏକ ବଡ଼ ବିଜୟ ଭେଟି ଦେଇଛନ୍ତି।ବିଜୟ ସହ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରି ପାରିଛି।
ଭାରତ ପକ୍ଷରୁ ମିଳିଥିବା ୨୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଆରମ୍ଭ ଅତି ନୈରାଶ୍ୟଜନକ ରହିଥିଲା। ଦଳୀୟ ଖାତା ଖୋଲିବା ପୂର୍ବରୁ ହିଁ ପ୍ରଥମ ବଲ୍ରେ ବେନ୍ ଡକେଟ୍ (୦) ଆଉଟ୍ ହୋଇଥିଲେ। ଏହାପରେ ମାତ୍ର ୮ ରନ ସ୍କୋରରେ ଜାକୋବ ବେଥେଲ (୪) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଇଂଲଣ୍ଡ ଏକଦା ୧୨୫ ରନ୍ରେ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା।
ଜ୍ୟାକ୍ସ ଓ ରୁଟ୍ଙ୍କ ମ୍ୟାଚ୍ ବିଜୟୀ ଭାଗିଦାରୀ
ଏହି ସଙ୍କଟ ସମୟରେ ଜୋ ରୁଟ୍ଙ୍କୁ ସାଥ୍ ଦେଇଥିଲେ ୱିଲ୍ ଜ୍ୟାକ୍ସ। ଦୁହେଁ ମିଶି ଷଷ୍ଠ ୱିକେଟ୍ ପାଇଁ ୭୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଗଢ଼ି ଦଳକୁ ବିଜୟ ଦ୍ୱାରଦେଶରେ ପହଞ୍ଚାଇଥିଲେ। ଜ୍ୟାକ୍ସ ୪୪ ବଲ୍ରୁ ୩୦ ରନ୍ କରି ଆଉଟ୍ ହେବା ପରେ ଗସ୍ ଆଟକିନସନ ମୈଦାନକୁ ଓହ୍ଲାଇଥିଲେ। ରୁଟ୍ ଏବଂ ଆଟକିନସନ ସପ୍ତମ ୱିକେଟ୍ ପାଇଁ ଅପରାଜିତ ୩୮ ରନ୍ ଯୋଡ଼ି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୪ ଓଭରରେ ମାତ୍ର ୨୩୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତର ଏହି ସାଧାରଣ ସ୍କୋରକୁ ଇଂଲଣ୍ଡ କଠିନ ପରିଶ୍ରମ କରି ହାସଲ କରିବାରେ ସଫଳ ହୋଇଛି।