ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ରଥ ଟଣା । ହରିବୋଲ ହୁଳହୁଳି, ଘଣ୍ଟ, ଖୋଳତାଳ ଧ୍ୱନୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ ।
ଗତକାଲି ତିନି ରଥ ବଡ଼ ଦାଣ୍ଡରେ ଅଟକି ଥିଲା । ଆଜି ସକାଳୁ ସମସ୍ତ ନୀତିକାନ୍ତି ସରିବା ପରେପୁଣି ଥରେ ରଥଯାତ୍ରା ଆରମ୍ଭ ହୋଇଛି । ଫାୟାର ଷ୍ଟେସନ ନିକଟରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଅଟକି ଥିଲା । ଆଜି ସେହିପରି ମରିଚିକୋଟ ଛକରୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଛି । ସେପଟେ ଗତକାଲି ସିଂହଦ୍ୱାର ନିକଟରେ କିଛି ବାଟ ଗଡ଼ି ଅଟକି ଥିବା ନନ୍ଦିଘୋଷ ରଥ ଆଜି ଗଡ଼ିଛି । ରଥାରୂଢ଼ ତିନି ଠାକୁରଙ୍କୁ ଦେଖି ଭକ୍ତଙ୍କ ଆଖିରେ ଝରି ଯାଉଛି ଭାବର ଲୁହ ।
ରଥଯାତ୍ରାରେ ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ଏହା ତିନି ଠାକୁରଙ୍କ ପହଣ୍ଡି, ଛେରା ପହଁରା ସମାପନ ହେବା ପରେ ରଥରେ ଚାରମାଳ ବନ୍ଧା ଯାଇଥିଲା । ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ଆରମ୍ଭ କରିଥିଲା । କିନ୍ତୁ କାଳିଆ ସାଆନ୍ତଙ୍କ ରଥ ଇଞ୍ଚେ ବି ଘୁଞ୍ଚିନଥିଲା । କିଛି ସମୟ ପରେ ନନ୍ଦିଘୋଷ ମଧ୍ୟ ଟିକେ ଗଡ଼ିଥିଲା । ଏହି ଦିବ୍ୟ ଅନୁଭୂତିରେ ଚର୍ମ ଚକ୍ଷୁରେ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।