ଗାନ୍ଧୀନଗର: ବିଶ୍ୱର ଅନୁକୋଣରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଦେଶ ବିଦେଶରେ ଗଡ଼ିଛି କାଳିଆର ରଥ । ଗୁଜରାଟ ରାଜଧାନୀ ଗାନ୍ଧୀନଗର ଅନ୍ତର୍ଗତ ଅଡ଼ାଲଜରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି ରଥ ଯାତ୍ରା । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଛେରା ପହଁରା ନୀତି କରିଛନ୍ତି ।
ପ୍ରଥମେ ମନ୍ଦିର କମିଟି ଦ୍ୱାରା ନିର୍ଦ୍ଧାରିତ ସମୟରେ ମଙ୍ଗଳ ଆଳତୀ, ଅବକାଶ ନୀତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ପହଁଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଁଣ୍ଡିରେ ବାହାରିଥିଲେ ଚତୁର୍ଦ୍ଧାମୂରତୀ । ପ୍ରଥମେ ଚକ୍ରବୀର ସୁଦର୍ଶନ, ପରେ ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଟାହିଆ ହଲାଇ ହଲାଇ ରଥାରୂଢ଼ ହୋଇଥିଲେ କାଳିଆ ସାଆନ୍ତ । ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କୁ ପହଁଣ୍ଡି କରି ରଥ ଉପରକୁ ଆଣିଥିଲେ । ପରେ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ୍ ଛେରା ପହଁରା ନୀତି କରିଥିଲେ । ଗୁଜରାଟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନରହରି ଆମିନ ଏବଂ ମେୟର ଗାନ୍ଧିନଗର ମେମେରା ବେନ ପଟେଲ ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କିଛି ସମୟ ପାଇଁ ଭକ୍ତମାନେ ରଥ ଉପରକୁ ଯାଇ ମହାପ୍ରଭୁଙ୍କ ଅତି ନିକଟରୁ ଦର୍ଶନ କରିବାକ ସୌଭାଗ୍ୟ ଅର୍ଜନ କରିଥିଲେ ।
ପ୍ରାୟ ସାଢ଼େ ଦଶଟା ସମୟକୁ ରଥ ଟଣା ଆରମ୍ଭ ହୋଇଥିଲା । ନିକଟରେ ଥିବା ଦେବୀ ଅନ୍ନପୂର୍ଣ୍ଣା ମନ୍ଦିର ଅଭିମୁଖେ ତିନି ରଥ ବାହାରିଥିଲା । ଭାବ ଭକ୍ତିରେ ପୁରି ଉଠିଥିଲା ସମଗ୍ର ପରିବେଶ । ହରିବୋଲ, ହୁଳହୁଳି, ଘଣ୍ଟ ନାଦ, ଖୋଳତାଳରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ଅନ୍ନପୂର୍ଣ୍ଣା ମନ୍ଦିରରେ କିଛି ସମୟ ରହିବା ପରେ ପୁନର୍ବାର ତିନି ଠାକୁର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ସନ୍ଧ୍ୟା ୪ଟା ସୁଦ୍ଧା ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିରରେ ପହଁଚିବା ପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ସ୍ଥାନରେ ସ୍ଥାପନ କରାଯାଇଛି । ଯେଉଁଠାରେ ଆସନ୍ତା ନଅ ଦିନ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରାଯିବ ।
ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଏବଂ ଅଣ ଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ରଥଟଣାରେ ସାମିଲ ହୋଇଥିଲେ । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ରଥଯାତ୍ରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସେହିପରି ଆମ୍ବୁଲାନ୍ସ, ପାନୀୟ ଜଳ, ଦହି ବଣ୍ଟନ ଏବଂ ପାଣି ସିଞ୍ଚନ କରାଯାଇଥିଲା । ଆସନ୍ତା ୯ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।