ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେକୁ ନେଇ ଏବେ ରାଜନୀତି ଓ ଜନଅସନ୍ତୋଷ ତେଜିବାରେ ଲାଗିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ସମୟରେ ପାରମ୍ପରିକ ‘ଟାହିଆ’ ନଥାଇ ପ୍ରଭୁଙ୍କୁ ରଥାରୂଢ଼ କରାଯିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ। ମହାପ୍ରଭୁଙ୍କ ଏଭଳି ରୂପ ଦେଖି ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିବା ବେଳେ ସେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି।
ପିସିସି ସଭାପତି ଭକ୍ତ ଦାସ ଏକ ପ୍ରେସମିଟ୍ରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଖିରେ ଲୁହ ଥିଲା। ମନ୍ଦିର ଭିତରୁ ବାହାରକୁ ଆସିବା ପାଇଁ ଶ୍ରୀଜୀଉମାନଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିଗଲା। ସବୁଠାରୁ ଦୁଃଖର କଥା ହେଉଛି, ମହାପ୍ରଭୁଙ୍କ ପ୍ରାଣ କୁହାଯାଉଥିବା ସେହି ମନୋହର ‘ଟାହିଆ’ ବିନା ହିଁ ତାଙ୍କୁ ରଥକୁ ଅଣାଗଲା।
ମହାପ୍ରଭୁଙ୍କୁ ଏଭଳି ଶ୍ରୀହୀନ ବେଶରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ସାମ୍ନାକୁ ଆଣିବାର ଆବଶ୍ୟକତା କଣ ଥିଲା? ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଏବଂ ଭାବନା ଉପରେ ଏକ ଶକ୍ତ ପ୍ରହାର।
କାହା ଇସାରାରେ ହଟିଲା ଟାହିଆ?
ଭକ୍ତ ଦାସ ପ୍ରଶ୍ନ ଉଠାଇଛନ୍ତି ଯେ, ମହାପ୍ରଭୁଙ୍କ ମସ୍ତକରୁ ସୁଦୃଶ୍ୟ ଟାହିଆ ହଟାଇବା ପାଇଁ କିଏ ପରାମର୍ଶ ଦେଇଥିଲା? ନିଜର ଅପାରଗତା ଓ ଭିଡ଼ ପରିଚାଳନାରେ ବିଫଳତାକୁ ଲୁଚାଇବା ପାଇଁ ପ୍ରଶାସନ ଜାଣିଶୁଣି ଏଭଳି ନିଷ୍ପତ୍ତି ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜର ଏଭଳି ବିବାଦୀୟ ବୟାନ ପାଇଁ ତୁରନ୍ତ ଅନୁତପ୍ତ ହୋଇ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି କଂଗ୍ରେସ ଦାବି କରିଛି। ସରକାରୀ ସ୍ତରରେ ରଥଯାତ୍ରା ଆୟୋଜନରେ ରହିଥିବା ବ୍ୟାପକ ତ୍ରୁଟି ଯୋଗୁଁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
Also Read: ୯ ଲକ୍ଷ ଭକ୍ତ ସମାଗମ, ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ଅନୁଷ୍ଠିତ ରଥଯାତ୍ରା: ରାଜ୍ୟ ସରକାର