ଆଠଗଡ଼: ଲଘୁଚାପଜନିତ ଲଗାଣ ବର୍ଷା କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି କରିଛି। ଲଗାତାର ବର୍ଷା ଯୋଗୁଁ ସାପୁଆ ନଦୀ ଫୁଲିଉଠିବା ସହ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନଡୁଆପଡ଼ା ନିକଟ ସାପୁଆ ବ୍ରିଜ ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବନ୍ୟା ପାଣି ଯୋଗୁଁ କୁଲାଇଲୋ ପଞ୍ଚାୟତର କରକମଲ, ଇଚ୍ଛାପୁର ପଞ୍ଚାୟତର ଇଚ୍ଛାପୁର, ଗୁଡୁପଡ଼ା ଓ ମୁକ୍ତାଦେଇପୁର, ମହାକାଳବସ୍ତ ପଞ୍ଚାୟତର ହରିପୁର, ଦହିସରା ସହ ସମସରପୁର ପଞ୍ଚାୟତର ଅନେକ ଗାଁକୁ ମିଶାଇ ୧୦ରୁ ଅଧିକ ଗାଁର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ଦୁଇରୁ ତିନି ଫୁଟ ପାଣି ଚାଲୁଥିବାରୁ ଲୋକଙ୍କ ଯାତାୟାତ ଠପ୍ ହୋଇପଡ଼ିଛି।
ବନ୍ୟା ପାଣି ଘରେ ପଶିଯିବାରୁ ଅନେକ ପରିବାର ଘର ଛାଡ଼ି ନିକଟସ୍ଥ ସ୍କୁଲ ଘର ଓ ଅନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଛୋଟ ଛୋଟ ଶିଶୁ, ବୃଦ୍ଧ ଓ ମହିଳାମାନେ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଅନ୍ୟପଟେ ସାପୁଆ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇ ଯାନବାହନ ଚଳାଚଳକୁ ବନ୍ଦ କରିଛି। ଗୁରୁବାର ବିଳମ୍ବିତ ରାତିରେ ଆଠଗଡ଼ ବିଧାୟକ ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲଗାଣ ବର୍ଷା ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି।