ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରତିବାଦ ସମୟରେ ଜନ୍ତରମନ୍ତରରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଯାଚିକା ଦାୟର ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଛି । ଏହି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଲାଠିଚାର୍ଜ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ କହିଛନ୍ତି ପ୍ରତିଟି ପ୍ରଦର୍ଶନରେ ଅନୁଶାସନର ଆବଶ୍ୟକତା ରହିଛି । ଶୁଣାଣି ବେଳେ ପୋଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ ଉପସ୍ଥିତ ଓକିଲ ଆମ ପକ୍ଷ ମଧ୍ୟ ଶୁଣାଯାଉ ବୋଲି କହିଛନ୍ତି । ସଂପ୍ରତି ସମସ୍ତ ଯାଚିକା ଉପରେ ମଙ୍ଗଳବାର ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଯାଚିକା ଜରିଆରେ ଜନ୍ତରମନ୍ତରରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଆଡଭୋକେଟ୍ ଫୌଜିଆ ଶକିଲ କହିଛନ୍ତି, ଏକେ ୪୭ ଏବଂ ସି୧ର ମଧ୍ୟ ବ୍ୟବହାର ହୋଇଥିଲା । ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଛନ୍ତି, ବିହାରରେ ମଧ୍ୟ ଛାତ୍ରଙ୍କ ଉପରେ ଅନେକ ହମଲା ହୋଇଛି । ପୂରା ଭାରତ ପାଇଁ ଏକ ଆଦେଶର ନିତାନ୍ତ ଆବଶ୍ୟକତା ରହିଛି ।
ଲାଠିଚାର୍ଜ ଉପରେ ପ୍ରଶ୍ନ
ସିଜେଆଇ କହିଛନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସଭିଙ୍କ ଅଧିକାର ରହିଛି । ଏଥିରେ ଅଗ୍ରାହ୍ୟ କରାଯିବାର କୌଣସି ଅବକାଶ ହିଁ ନାହିଁ । କେବଳ ଆନ୍ଦୋଳନ ହେଉଛି ବୋଲି ପୋଲିସର କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ଦର୍ଶାଯାଇ ପାରିବ ନାହିଁ । ଏକ ପ୍ରୋଟୋକଲ ହେବା ଉଚିତ୍ । ସଠିକ୍ ସ୍ଥାନ ନିର୍ଦ୍ଧାରଣ କରାଯିବା ଉଚିତ୍ ଆନ୍ଦୋଳନ ପାଇଁ । ଯଦି ଆନ୍ଦୋଳନରେ କୌଣସି ଅସାମାଜିକ ତତ୍ତ୍ୱ ପ୍ରବେଶ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଏହା କେବଳ ଦିଲ୍ଲୀର ପ୍ରଶ୍ନ ନୁହେଁ, ଏହା ପୂରା ଦେଶ ପାଇଁ ଜରୁରୀ।
ପୋଲିସକର୍ମୀ ମଧ୍ୟ କୋର୍ଟ ପହଞ୍ଚିଲେ
ପୋଲିସ କର୍ମଚାରୀଙ୍କ ପକ୍ଷରୁ ହାଜର ଓକିଲ ମଧ୍ୟ କହିଛନ୍ତି ଯେ, ଆମ ଆବେଦନ ଉପରେ ମଧ୍ୟ ବିଚାର କରାଯିବା ଉଚିତ୍ । ସେ କହିଛନ୍ତି, ଯେଉଁ ପୋଲିସ କର୍ମଚାରୀଙ୍କୁ ମାଡ ମରାଯାଇଛି କିମ୍ବା ହମଲା କରାଯାଇଛି ସେମାନଙ୍କ ପକ୍ଷ ମଧ୍ୟ ଶୁଣାଯିବା ଉଚିତ୍ । ପୋଲିସ ଅଧିକାରର ମଧ୍ୟ ଲିଚିଂ କରାଯାଇଛି ।
ଏହା ଉପରେ ବିଚାରପତି ଜୟମାଲା ବାଗଚୀ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବର ମୂଲ୍ୟ ରହିଛି, ସେ ଯିଏ ବି ହେଉନା କାହିଁକି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ଆମେ କୋର୍ଟଙ୍କୁ ସଂପୂର୍ଣ୍ଣ ସହଯୋଗ କରିବୁ । ସମସ୍ତ ଯାଚିକା ଉପରେ ମଙ୍ଗଳବାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।