ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ନୂତନ ସଂସ୍କାର ଆଣିବାକୁ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ‘ସାର୍ବଜନୀନ ପରୀକ୍ଷା (ଅନୁପଯୁକ୍ତ ଉପାୟର ନିବାରଣ) ସଂଶୋଧନ ବିଲ୍–୨୦୨୬’ ଆଗତ କରିଛନ୍ତି । ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଲୋକସଭାରେ ପେପର୍ ଲିକ୍ ନିରୋଧ ବିଲ୍ ଆଗତ କରିଛନ୍ତି । ପରୀକ୍ଷା ସଂସ୍କାରରେ ଆଣିବାକୁ ସରକାର ଏହାକୁ ଉପସ୍ଥାପନ କରିଛନ୍ତି । ଏହା ଆଇନରେ ପରିଣତ ହେବା ପରେ ପେପର୍ ଲିକ୍ ଅଭିଯୋଗରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ହେବ ଶକ୍ତ କାର୍ଯ୍ୟାନୁଷ୍ଠାନ । ପ୍ରଶ୍ନପତ୍ର ଲିକ୍, ସଂଗଠିତ ପରୀକ୍ଷା ଜାଲିଆତି ଓ ପରୀକ୍ଷାରେ ଅନିୟମିତତାକୁ ରୋକିବାକୁ ଏହା ଏକ ଢାଲ ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।
ନିଟ୍ ପେପର୍ ଲିକକୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ କେନ୍ଦ୍ର ସରକାର ପେପର୍ ଲିକକୁ ରୋକିବାକୁ ସଂଶୋଧିତ ବିଲ୍ ଆଗତ କରିଛନ୍ତି । ଯଦି କେହି କୌଣସି ପେପର୍ ଲିକ୍ ରେ ଅଭିଯୁକ୍ତ ମିଳନ୍ତି ତେବେ ଦୋଷୀକୁ ଅତିକମରେ ୫ ବର୍ଷ କିମ୍ବା ଅତିବେଶୀରେ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ କୋଟି ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାର ପ୍ରାବଧାନ ରଖାଯାଇଛି ।
ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ସମସ୍ତ ତଦନ୍ତ ଦୁଇ ମାସ ମଧ୍ୟରେ ସମାପ୍ତ କରିବାକୁ ପଡିବ। ବିଲ୍ ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି କୋର୍ଟଗୁଡ଼ିକ ଚାର୍ଜସିଟ୍ ଦାଖଲ ହେବାର ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ କରିବେ ।
ସରକାର ବିଲ୍ ଉପରେ ବିସ୍ତୃତ ଆଲୋଚନା କରି ଏହାକୁ ଆଇନରେ ପରିଣତ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ବିରୋଧୀ ଦଳ ନିଜର ହଙ୍ଗାମା ଓ ହଟ୍ଟଗୋଳ ଜାରି ରଖିଛନ୍ତି । ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦମାନେ ଆନ୍ଦୋଳନରତ ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ଉପନେତା ପ୍ରମୋଦ ତିୱାରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।