ଭୁବନେଶ୍ୱର: ଅନଲାଇନ୍ ସୁବିଧା ଯେତେ ବଢ଼ୁଛି, ସେତେ ବଢ଼ୁଛି ସାଇବର୍ ଠକଙ୍କ ନୂଆ ନୂଆ କୌଶଳ। ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଏକ ନକଲି ମୋବାଇଲ୍ ଆପ୍ ଡାଉନଲୋଡ୍ କରି କେନ୍ଦୁଝରର ଜଣେ ବ୍ୟକ୍ତି ପ୍ରାୟ ୨ ଲକ୍ଷ ୯୧ ହଜାର ଟଙ୍କା ହରାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସାଇବର୍ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଉଠାଇଛି।
ସୂଚନା ଅନୁସାରେ, କେନ୍ଦୁଝର ଅଞ୍ଚଳର ରାଜେଶ ବୋଷ ଅନଲାଇନ୍ରେ ଏଲ୍ପିଜି ଗ୍ୟାସ ବୁକିଂ ପାଇଁ ଏକ ମୋବାଇଲ୍ ଆପ୍ ଖୋଜୁଥିଲେ। ଏହି ସମୟରେ ସୋସିଆଲ୍ ମିଡିଆରେ ଥିବା ଏକ ଲିଙ୍କ୍ ଜରିଆରେ ସେ ଏକ ଆପ୍ ଡାଉନଲୋଡ୍ କରିଥିଲେ। ତେବେ ଏହା ଏକ ନକଲି ଆପ୍ ବୋଲି ସେ ଜାଣିପାରିନଥିଲେ।
ଆପ୍ ଇନଷ୍ଟଲ୍ କରିବା ପରେ ହଠାତ୍ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କଟିବା ଆରମ୍ଭ ହୋଇଥିଲା। ପ୍ରଥମେ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ମେ ୧୮ ତାରିଖରେ ନିଜ ଆକାଉଣ୍ଟ ଯାଞ୍ଚ କରିବା ପରେ ପ୍ରାୟ ୨.୯୧ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ଦେଖି ସେ ଚକିତ ହୋଇଯାଇଥିଲେ। ପରେ ସେ ତୁରନ୍ତ ଭୁବନେଶ୍ୱର ସାଇବର୍ ଥାନାରେ ଅଭିଯୋଗ କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସାଇବର୍ ଠକମାନେ ନକଲି ଆପ୍ ମାଧ୍ୟମରେ ରାଜେଶଙ୍କ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାତେଇ ନେଇଥିଲେ। ପରବର୍ତ୍ତୀ ସମୟରେ ଆସାମର ଏକ ଏଟିଏମ୍ରୁ ଏହି ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ଘଟଣାରେ ସଂପୃକ୍ତ ସାଇବର୍ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସାଇବର୍ ପୋଲିସ ବିଭିନ୍ନ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରି ତଦନ୍ତ ଚଳାଇଛି।
ଏହି ଘଟଣା ପୁଣିଥରେ ସାଧାରଣ ଲୋକଙ୍କ ପାଇଁ ବଡ଼ ସତର୍କବାଣୀ ସାବ୍ୟସ୍ତ ହୋଇଛି। ବିଶେଷଜ୍ଞମାନଙ୍କ ପରାମର୍ଶ ହେଉଛି, କୌଣସି ମୋବାଇଲ୍ ଆପ୍ କିମ୍ବା ଲିଙ୍କ୍ ଡାଉନଲୋଡ୍ କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରନ୍ତୁ। କେବଳ ଅଧିକୃତ ଆପ୍ ଷ୍ଟୋର୍ କିମ୍ବା ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ରୁ ଆପ୍ ଡାଉନଲୋଡ୍ କରନ୍ତୁ। ଅଜଣା ଲିଙ୍କ୍, ସୋସିଆଲ୍ ମିଡିଆ ବିଜ୍ଞାପନ କିମ୍ବା ସନ୍ଦେହଜନକ ଆପ୍ ଉପରେ ବିଶ୍ୱାସ କରିବା ଆପଣଙ୍କ ସାରାଜୀବନର ସଞ୍ଚୟକୁ କ୍ଷଣକରେ ଶୂନ୍ୟ କରିଦେଇପାରେ।