ଭୁବନେଶ୍ୱର: ରାଜ୍ୟରେ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଫଳପ୍ରଦ ହେଉଥିବା ଦାବି କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ସୋମବାର ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ଜନଶୁଣାଣି ପରେ ସେ କହିଛନ୍ତି ଯେ, ପୂର୍ବରୁ ହୋଇଥିବା ୧୮ଟି ଜନଶୁଣାଣିରେ ମିଳିଥିବା ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର କ୍ଷମତାକୁ ଆସିବା ଦିନଠାରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସ୍ତରରୁ ଆରମ୍ଭ କରି ଜିଲ୍ଲା, ଉପଜିଲ୍ଲା, ତହସିଲ ଏବଂ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୋଗର ନିୟମିତ ତଦାରଖ କରାଯାଉଥିବାରୁ ଅଭିଯୋଗ ସମାଧାନର ହାର ଲଗାତାର ବଢ଼ୁଛି।
ସରକାରୀ ତଥ୍ୟ ଅନୁସାରେ, ପ୍ରଥମ ୧୮ଟି ଜନଶୁଣାଣିରେ ମୋଟ ୧୪,୯୪୧ଟି ଆବେଦନ ଆସିଥିବା ବେଳେ ସେଥିରୁ ୧୪,୩୩୧ଟି ଅଭିଯୋଗର ସମାଧାନ କରାଯାଇଛି। ଅର୍ଥାତ୍ ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସଫଳ ନିଷ୍ପତ୍ତି ହୋଇଛି।
ଜିଲ୍ଲା ସ୍ତରରେ ମଧ୍ୟ ଜନଶୁଣାଣି କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲିଛି। ଜିଲ୍ଲାପାଳ ଓ ଏସ୍ପିମାନେ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ୍ ସ୍ତରରେ ମଧ୍ୟ ସମାନ ବ୍ୟବସ୍ଥା ଜାରି ରହିଛି। ଜୁନ୍ ଶେଷ ସୁଦ୍ଧା ଜିଲ୍ଲାଗୁଡ଼ିକରେ ୨ ଲକ୍ଷ ୫୯ ହଜାର ୨୧୩ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ପ୍ରାୟ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇସାରିଛି।
୧୯ତମ ଜନଶୁଣାଣି ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଶୁଣାଣି କକ୍ଷ ବାହାରେ ଅପେକ୍ଷା କରୁଥିବା ଦିବ୍ୟାଙ୍ଗ ଓ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ। ସେମାନଙ୍କ ଆବେଦନପତ୍ର ନିଜେ ଗ୍ରହଣ କରି ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଶୁଣାଣିରେ ବିଭିନ୍ନ ଗୁରୁତର ରୋଗରେ ଚିକିତ୍ସିତ ହେଉଥିବା ୧୨ ଜଣ ରୋଗୀଙ୍କ ପାଇଁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ମୋଟ ₹୬.୧୫ ଲକ୍ଷର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି।
ସୋମବାରର ଜନଶୁଣାଣିରେ ଅନଲାଇନ୍ ଓ ଅଫଲାଇନ୍ ମିଶାଇ ୭୦୦ରୁ ଅଧିକ ଅଭିଯୋଗ ଆସିଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଶୁଣାଣି ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରାଯାଇଥିବାରୁ ସାଧାରଣ ଲୋକଙ୍କୁ ଆଉ ଛୋଟ ଛୋଟ ସମସ୍ୟା ପାଇଁ ବାରମ୍ବାର ରାଜଧାନୀକୁ ଆସିବାକୁ ପଡ଼ୁନାହିଁ। ଏହାଦ୍ୱାରା ଲୋକଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ସରକାରଙ୍କ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ଅଧିକ ସୁଦୃଢ଼ ହୋଇଛି।