ଗଜପତି: ଦାଦନ ଖଟିବାକୁ ଯାଇ ଜଣେ ମେଧାବୀ ଛାତ୍ର ପ୍ରାଣ ହରାଇଛନ୍ତି । ଅଧୁରା ରହିଯାଇଛି ଶିକ୍ଷକ ହେବାର ସ୍ୱପ୍ନ । ସେପଟେ ମାଆ କୋଳକୁ ଫେରିଲାନି ପୁଅ ହେଲେ ଆସିଲା ମୃତ୍ୟୁ ଖବର । ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗେସଖାଲ ଗାଁର ଜଣେ ମେଧାବୀ ଛାତ୍ର ଦାଦନ ଖଟିବାକୁ ଯାଇ ଗୋଆରେ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ମୁନା ନାୟକ ।
ମୋହନା ବ୍ଲକ ଡେଙ୍ଗେସଖାଲ ଗାଁର ମୁନା ନାୟକ ଜଣେ ମେଧାବୀ ଛାତ୍ର ଥିଲେ । ମୁନା ବି.ଏ. ପାସ୍ କରିବା ପରେ ବି.ଏଡ୍ରେ ନାମ ଲେଖାଇ ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଆଡମିଶନ୍ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ । ମୁନାଙ୍କ ବାପାଙ୍କର ପ୍ରାୟ ୧୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମା' ଅନେକ କଷ୍ଟରେ ତିନି ପୁଅ ଓ ଗୋଟିଏ ଝିଅଙ୍କୁ ପାଠ ପଢ଼ାଉଥିଲେ। ପରିବାରର ବଡ଼ ପୁଅ ହୋଇଥିବାରୁ ମୁନା ନିଜ ପାଠପଢ଼ା ସହ ପରିବାରର ଦାୟିତ୍ୱ ବୁଝି ରୋଜଗାର ଆଶାରେ ଘର ଛାଡ଼ିଥିଲେ ।
କିନ୍ତୁ ଗୋଆରେ ମୁନାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ପୁଅର ମୃତ୍ୟୁର ଖବର ଶୁଣିବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଗରିବ ପରିବାର ହୋଇଥିବାରୁ ଗୋଆରୁ ମୃତଦେହକୁ ନିଜ ଜନ୍ମମାଟିକୁ ଆଣିବା ପାଇଁ ପରିବାର ପାଖରେ ଆବଶ୍ୟକ ଆର୍ଥିକ ସମ୍ବଳ ନାହିଁ। ପୁଅର ମୃତ ଦେହକୁ ଗାଁକୁ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛି ପରିବାର ।