ଭୁବନେଶ୍ୱର: ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ସହ ଜଡ଼ିତ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଫାଇଲ ଗାଏବ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ପହଞ୍ଚି ମାମଲାର ଖୋଳତାଡ଼ ଆରମ୍ଭ କରିଛି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କମିଶନରେଟ୍ ପୋଲିସଠାରୁ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପରେ 'ସିଆଇଡି-ସିବି ପିଏସ୍ କେସ୍ ନଂ–୦୯/୨୦୨୬' ଭାବେ ପୁନଃ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ବିଏନଏସ୍ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧ ଓ ୬୧(୨)(ବି) ଲାଗୁ କରାଯାଇଛି।
କଟକ ସିଆଇଡି କ୍ରାଇମବ୍ରାଞ୍ଚର ଡିଏସପି ଆଶୁତୋଷ ମିଶ୍ରଙ୍କୁ ତଦନ୍ତ ଭାର ଦିଆଯାଇଥିବା ବେଳେ ଏସ୍ପି ଅନିରୁଦ୍ଧ ରାଉତରାୟ ସମଗ୍ର ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି। ଫାଇଲ ଗାଏବ ଘଟଣାର ପ୍ରତ୍ୟେକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ସଂଗ୍ରହ ଓ ଯାଞ୍ଚ ଆରମ୍ଭ କରିଛି।
ସୂଚନା ଅନୁସାରେ, ୨୦୨୪ ଜୁନ୍ ୪, ଅର୍ଥାତ୍ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ଦିନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ବିଭିନ୍ନ ଫାଇଲ ଗୃହ ବିଭାଗକୁ ଫେରିଥିଲା। କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ କନ୍ଧମାଳ ହିଂସାକାଣ୍ଡ ସମ୍ପର୍କିତ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ଫେରିନଥିବା ଜଣାପଡ଼ିଥିଲା।
ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଉଦ୍ଦେଶ୍ୟମୂଳକ ଭାବେ ଗାଏବ କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପଛରେ କୌଣସି ଷଡ଼ଯନ୍ତ୍ର କିମ୍ବା ପ୍ରମାଣ ଲୁଚାଇବାର ଉଦ୍ଦେଶ୍ୟ ରହିଛି କି, ସେ ଦିଗରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।
ଏହି ସମ୍ବେଦନଶୀଳ ଘଟଣା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଗାଏବ ହୋଇଥିବା ଫାଇଲ କେଉଁଠି ଗଲା, କେଉଁ ପରିସ୍ଥିତିରେ ଏହା ନିଖୋଜ ହେଲା ଏବଂ ଏଥିପାଇଁ କିଏ ଦାୟୀ, ସେସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ କ୍ରାଇମବ୍ରାଞ୍ଚ ଏବେ ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତର ଫଳାଫଳ ଉପରେ ସମଗ୍ର ରାଜ୍ୟର ନଜର ରହିଛି।