ଗଞ୍ଜାମ: ଦୈନିକ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବସର ନାହିଁ କୌଣସି ଫିଟନେସ୍ । ଏମିତିକି ବିନା ଡ୍ରାଇଭିଂ ଲାଇସେନ୍ସରେ ବସ୍ ଚାଳକ ଗାଡ଼ି ଚଲାଉଛନ୍ତି । ପରିବହନ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ବସ୍ ଚାଳକଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି । ହଜାରେ କିମ୍ବା ୧୦ ହଜାରେ ନୁହେଁ ବରଂ ଏକାବେଳେ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଲଗାଇଛି ପରିବହନ ବିଭାଗ ।
ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟରେ ଏକ ଘରୋଇ ବସକୁ ପରିବହନ ବିଭାଗ ଟିମ୍ ଅଟକାଇଥିଲା । ବ୍ରହ୍ମପୁରରୁ ଆସୁଥିବା 'ଜୟଶ୍ରୀ' ନାମକ ଏକ ଘରୋଇ ବସ୍ (ଓଡି ୧୯ ଆର୍ ୪୫୯୭)କୁ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରାଫିକ୍ ପୋଲିସ୍ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡ଼ିର କୌଣସି ବୈଧ କାଗଜପତ୍ର ନଥିବା ଦେଖାଯାଇଥିଲା । ଗାଡ଼ିର ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର ଓ ଇନ୍ସାରାନ୍ସ ନ ଥିଲା । ଏହା ସହିତ ଗାଡ଼ି ଚଳାଉଥିବା ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିଲା । ଏହା ସହିତ ଗାଡ଼ି ମାଲିକ କୌଣସି ରୋଡ୍ ଟ୍ୟାକ୍ସ ଦେଇ ନାହାଁନ୍ତି । ଶେଷରେ ପରିବହନ ବିଭାଗ ମୋଟ ୮ ଲକ୍ଷ ୪୦ ହଜାର ଟଙ୍କାର ଚାଲାଣ କାଟିଛି । ଯେଉଁଥିରେ ରୋଡ଼ ଟ୍ୟାକ୍ସ ବାବଦକୁ ୮,୦୫,୧୬୩ ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ୧୦,୦୦୦ ଟଙ୍କା, ପରମିଟ୍ ନଥିବାରୁ ୧୦,୦୦୦ ଟଙ୍କା, ଡିଏଲ୍ ନ ଥାଇ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୫୦୦୦, ଡିଏଲ୍ ନ ଥିବାରୁ ୫,୦୦୦ ଟଙ୍କା ଓ ପଞ୍ଜିକରଣଓ ଫିଟନେସ୍ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଲଗାଯାଇଛି । ବସ୍ ମାଲିକ ସନ୍ତୋଷ କୁମାର ସାହୁ ଏହି ତଣ୍ଡ ଗଣିବେ ।
ପରିବହନ ବିଭାଗ ଟିମ୍ ବସକୁ ଜବତ କରି ଅଗସ୍ତି ନୂଆଗାଁ ସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରରେ ରଖିଛି । ସମ୍ପୂର୍ଣ୍ଣ ଜରିମାନା ଅର୍ଥ ପୈଠ କରିବା ପରେ ବସକୁ ଛଡ଼ାଯିବ ବୋଲି ଟ୍ରାଫିକ୍ ଇନ୍ସପେକ୍ଟର ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।