ନୂଆଦିଲ୍ଲୀ: ଜାପାନରେ ମଙ୍ଗଳବାର ଭୀଷଣ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦେଶର ଦକ୍ଷିଣ ଭାଗରେ ହୋଇଥିବା ଏହି ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ସ୍ଥାନୀୟ ଏଜେନ୍ସି ଜାପାନର ଅତି କମରେ ୭ଟି ଅଞ୍ଚଳ ପାଇଁ ଚେତାବନୀ ଜାରି କରିଛି ।
ଜାପାନର ପାଣିପାଗ ବିଭାଗ ମୁତାବକ, ୭.୧ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜାପାନର ଭୂକମ୍ପ ସ୍କେଲରେ ଏହା ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ସୁନାମୀ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସମୁଦ୍ର ଓ ସମୁଦ୍ର ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ରିପୋର୍ଟ ମୁତାବକ, ଭୂକମ୍ପର ଝଟକା ଏତେ ପ୍ରବଳ ଥିଲା ଯେ ମାଟି ଦୋହଳିବା ସହ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଝଟକା ଅନୁଭୂତ ହେବାମାତ୍ରେ ପ୍ରଶାସନ ତତ୍ପରତା ପ୍ରକାଶ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଭୂକମ୍ପର ପ୍ରଭାବରେ କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Also Read: ତୁର୍କୀ ସହ ଆମେରିକାର ସଂପର୍କରେ ନେଇ ଟିପ୍ପଣୀ ଦେଲେ ନେତାନ୍ୟାହୁ, ଜବାବ ରଖିଲେ ଟ୍ରମ୍ପ