ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ହେବ । ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ଆର୍ ମହାଦେବନଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏ ନେଇ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ପ୍ରଥମେ ଗତ ଜୁଲାଇ ୭ ତାରିଖରେ ଓଡ଼ିଶା ହାଇକୋର୍ଟ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ ମୁକ୍ତିଲାଭ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଯୋଜନା ସଂସ୍ଥା ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡକୁ ଅଦାଲତଙ୍କ ପରବର୍ତ୍ତୀ ଅନୁମତି ବିନା ଫିଲ୍ମ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ମହେଶ କୁମାର ସାହୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରକୁ ରଦ୍ଦ କରିବା ସହ ଓଡ଼ିଶାରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି।
ଏହା ପରେ ସୁପ୍ରିମକୋର୍ଟ ମଧ୍ୟ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ରୋକ୍ ଲଗାଇଥିଲେ । ରଥଯାତ୍ରା ଶେଷ ହେବା ପରେ ଜୁଲାଇ ୨୭ ପରେ ଚଳଚ୍ଚିତ୍ରକୁ ପରଦାକୁ ଆଣିବାକୁ ସୁପ୍ରିମକୋର୍ଟ ପ୍ରଯୋଜକଙ୍କୁ କହିଥିଲେ ।
ଗତ ଜୁନ୍ ୬ ତାରିଖରେ ୟୁଟ୍ୟୁବରେ ଚଳଚ୍ଚିତ୍ରର ଟିଜର୍ ମୁକ୍ତିଲାଭ କରିଥିଲା । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ କାହାଣୀକୁ ଅପଭ୍ରଂଶ କରି ଉପସ୍ଥାପିତ କରିବାକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ତୀବ୍ର ବିରୋଧ କରାଯାଇଥିଲା ।