ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣ୍ଡିଆ ପାଣ୍ଡରାସିଂହା ଛକ ନିକଟରେ ରବୀନ୍ଦ୍ର ନାୟକଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସ କରିଛନ୍ତି ଏସଡିପିଓ । ବଡ଼ ଭାଇର ପ୍ରେମ ସମ୍ପର୍କରେ ସାନ ଭାଇ ବଳି ପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମନ୍ତ୍ରୀଙ୍କ ପତ୍ନୀ ଏବଂ ରବୀନ୍ଦ୍ରଙ୍କ ବଡ଼ ଭାଇଙ୍କ ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ଘଟିଛି ।
ରବୀନ୍ଦ୍ରଙ୍କ ଭାଇ ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ଏହାରି ମଧ୍ୟରେ ଦିଲ୍ଲୀପଙ୍କ ସହିତ ଉକ୍ତ ଯୁବତୀଙ୍କର ବିବାହ ହୋଇଥିଲା । କିନ୍ତୁ ଗତ କିଛି ମାସ ତଳେ ରବୀନ୍ଦ୍ରଙ୍କ ଭାଇ ଦିଲ୍ଲୀପଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିଲେ ଏବଂ ତାଙ୍କୁ ପୁଣି ଥରେ ବିବାହ କରିଥିଲେ । ଏ ନେଇ ଖଣ୍ଡପଡ଼ା ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ରହିଛି । ଏଥିରେ ରବୀନ୍ଦ୍ର ବଡ଼ ଭାଇକୁ ସହଯୋଗ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ଯାହାକୁ ଗତକାଲି ଦିଲ୍ଲୀପ ହତ୍ୟାର ରୂପ ଦେଇଥିଲା । ପୋଲିସ ହତ୍ୟାରେ ବ୍ୟବହୃତ ବନ୍ଧୁକ ଏବଂ କାରକୁ ଜବତ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।
ଅନ୍ୟପକ୍ଷେ ପରିବାର ଲୋକେ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ ପାଣ୍ଡରାସିଂହା ଛକରେ ଗ୍ୟାରେଜ୍ ଦୋକାନ କରିଥିଲେ । ଗତକାଲି ସନ୍ଧ୍ୟାରେ ତିନି ଜଣ ବ୍ୟକ୍ତି ଏକ କାରରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ । ଫଳରେ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା ।