କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ, ମାନସିକ ନିର୍ଯାତନା ନା ଅନ୍ୟ କୌଣସି କାରଣ ରହିଛି କି, ତାହାର ତଦନ୍ତରେ ଲାଗିଛି କମିଶନରେଟ୍ ପୁଲିସ। ଏହି ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ତଥା ଓଏଏସ୍ ଅଧିକାରୀ ଭୀମସେନ ଟୁଡୁଙ୍କୁ ବାରଙ୍ଗ ଥାନାରେ ଘଣ୍ଟାଘଣ୍ଟା ଧରି ପଚରାଉଚରା କରାଯାଉଛି।
ଗତକାଲି ମୟୂରଭଞ୍ଜର ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିବା ଭୀମସେନଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ୍ କଟକ-ଭୁବନେଶ୍ୱର ଆଣି ବାରଙ୍ଗ ଥାନାରେ ଜେରା ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ଚାହୁଁଛନ୍ତି, କାହିଁକି ଭୀମସେନ ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ? ସେ କୌଣସି ପ୍ରକାରର ମାନସିକ ଚାପ କିମ୍ବା ନିର୍ଯାତନା ଦେଉଥିଲେ କି? ଏବଂ ତ୍ରିକୋଣୀୟ ପ୍ରେମ ସମ୍ପର୍କର କୌଣସି ଲିଙ୍କ ଏହି ମୃତ୍ୟୁ ସହ ଜଡିତ କି ନାହିଁ?
ଏହି ସମୟରେ କଟକ ଡିସିପି ଋଷିକେଶ ଖିଲାରୀ ପ୍ରେସମିଟ୍ରେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଭୀମସେନଙ୍କ ଭୂମିକାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ତେବେ ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବାରୁ ଏବେ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚାଯାଇନାହିଁ।
ପୁଲିସ ଭୀମସେନଙ୍କ ଲାପଟପ୍, ମୋବାଇଲ ଓ ଟାବଲେଟ୍ ଜବତ କରିଛି। ସେଥିରୁ ହ୍ୱାଟସ୍ଆପ୍ ଚାଟ୍ ସମେତ ଡିଜିଟାଲ ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟ ମାମଲାର ଅନେକ ଅଜଣା ଦିଗ ଖୋଲିପାରେ ବୋଲି ଅନୁମାନ କରାଯାଉଛି। ଡିସିପି ସ୍ପଷ୍ଟ କରିଛନ୍ତି, ଆବଶ୍ୟକ ପଡ଼ିଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ଆହୁରି ଗଭୀର ପଚରାଉଚରା କରାଯିବ।
ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ ସତ୍ୟ କଣ? ପ୍ରେମ ସମ୍ପର୍କର ଟଣାଓଟରା ନା ଅନ୍ୟ କିଛି? ଏହି ପ୍ରଶ୍ନର ଉତ୍ତର ଏବେ ପୁଲିସ ତଦନ୍ତ ଉପରେ ନିର୍ଭର କରୁଛି। ରାଜ୍ୟବ୍ୟାପୀ ଚର୍ଚ୍ଚିତ ଏହି ମାମଲା ଉପରେ ସମସ୍ତଙ୍କ ନଜର ରହିଛି।