ପୁରୀକୁ ଆସୁଛି ଆଉ ଏକ ବଡ଼ ପରିବର୍ତ୍ତନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହେଉଥିବା ବିଶ୍ୱସ୍ତରୀୟ ପୁରୀ ରେଳ ଷ୍ଟେସନର କାମ ଜୋରଦାର ଭାବେ ଚାଲିଛି। ଶନିବାର ରାଜ୍ୟପାଳ ହରି ବାବୁ କମ୍ଭମପତି ନିର୍ମାଣସ୍ଥଳରେ ପହଞ୍ଚି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।
କେନ୍ଦ୍ର ରେଳମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରାଜ୍ୟପାଳ ଗ୍ରାଉଣ୍ଡ ଲେଭେଲରେ ଯାଇ ପ୍ରକଳ୍ପର ସ୍ଥିତି ପରଖିଥିଲେ। ସମୀକ୍ଷା ପରେ ସେ କହିଛନ୍ତି ଯେ, ୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ମହତ୍ତ୍ୱାକାଙ୍କ୍ଷୀ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ଏବଂ ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରାୟ ୭୦ରୁ ୮୦ ପ୍ରତିଶତ ରେଳପଥରେ ଯାତ୍ରା କରୁଥିବାରୁ ଷ୍ଟେସନର ଆଧୁନିକୀକରଣ ଅତ୍ୟାବଶ୍ୟକ ହୋଇପଡ଼ିଥିଲା। ନୂତନ ରୂପରେ ଗଢ଼ିଉଠୁଥିବା ଏହି ଷ୍ଟେସନ ଭକ୍ତମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା ସହ ପୁରୀର ପର୍ଯ୍ୟଟନ ଚିତ୍ରକୁ ମଧ୍ୟ ଆହୁରି ସମୃଦ୍ଧ କରିବ।
ରେଳ ଯାତ୍ରାର ଅନୁଭୂତିକୁ ନୂଆ ଉଚ୍ଚତାକୁ ନେବାକୁ ଯାଉଥିବା ଏହି ପ୍ରକଳ୍ପ ଶେଷ ହେଲେ, ପୁରୀ କେବଳ ଧାର୍ମିକ ନୁହେଁ ବରଂ ଆଧୁନିକ ପରିବହନ ବ୍ୟବସ୍ଥାରେ ମଧ୍ୟ ଦେଶର ଏକ ଆଦର୍ଶ ସହର ଭାବେ ପରିଚିତ ହେବ।