ଗ୍ୱାଦରଠାରେ ପାକିସ୍ତାନ ନୌସେନାର ନୂଆ ନେଭାଲ ବେସ୍ (ନୌସେନା ଘାଟି) ଯୋଜନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକ ଏବଂ ‘ହକ୍ ଦୋ ତେହେରିକ’ ଆନ୍ଦୋଳନର କହିବା କଥା ଯେ, ସରକାର ସୁରକ୍ଷା ଏବଂ CPEC ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି; ଅପରପକ୍ଷରେ ପାଣି, ବିଜୁଳି, ରୋଜଗାର ଏବଂ ମତ୍ସ୍ୟଜୀବୀମାନଙ୍କ ଅଧିକାର ଭଳି ମୂଳଭୂତ ସମସ୍ୟା ଗୁଡ଼ିକ ଏବେ ବି ଅସମାହିତ ହୋଇ ରହିଛି। ସେମାନେ ବିକାଶମୂଳକ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ଦାବି କରୁଛନ୍ତି।
ଗ୍ୱାଦରକୁ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC)ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି ମାନାଯାଏ। ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଆରବ ଡଲାରର ପ୍ରକଳ୍ପ ସବୁ ଆରମ୍ଭ ହୋଇଛି। ବନ୍ଦର, ରାସ୍ତାଘାଟ ଏବଂ ଅନେକ ବଡ଼ ବଡ଼ ନିର୍ମାଣ କାର୍ଯ୍ୟ କରାଯାଇଛି। ସରକାର ଏବଂ ଚୀନ୍ ଏହାକୁ ପାକିସ୍ତାନର ଅର୍ଥନୈତିକ ଭବିଷ୍ୟତର ଏକ ବଡ଼ ପ୍ରକଳ୍ପ ବୋଲି ଦର୍ଶାଉଛନ୍ତି।
କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଏହିସବୁ ପ୍ରକଳ୍ପର ଲାଭ ସେମାନଙ୍କୁ ମିଳିନାହିଁ। ସେମାନଙ୍କ ଅନୁସାରେ, ସହରରେ ବଡ଼ ବଡ଼ ବିକାଶମୂଳକ କାର୍ଯ୍ୟ ତ ହୋଇଛି, ହେଲେ ସାଧାରଣ ଲୋକଙ୍କ ଜୀବନଶୈଳୀ ପୂର୍ବପରି ରହିଛି। ଅନେକ ଅଞ୍ଚଳରେ ଆଜି ବି ପାଣି ଏବଂ ବିଜୁଳି ସମସ୍ୟା ରହିଛି। ରୋଜଗାରର ସୁଯୋଗ ମଧ୍ୟ ସୀମିତ। ତେଣୁ ଲୋକଙ୍କୁ ଲାଗୁଛି ଯେ ବିକାଶ ସେମାନଙ୍କ ପାଇଁ ନୁହେଁ, ବରଂ ବାହାର କମ୍ପାନୀ ଏବଂ ସରକାରଙ୍କ ପାଇଁ ହେଉଛି।
କରାଚିର ଭିଡ଼ କମାଇବା ପାଇଁ କଣ ଗ୍ୱାଦର ପ୍ରସ୍ତୁତ ହୋଇଛି?
ପାକିସ୍ତାନ ସରକାର ଦୀର୍ଘ ଦିନରୁ କହି ଆସୁଛନ୍ତି ଯେ, କରାଚି ବନ୍ଦର ଉପରେ ବଢ଼ୁଥିବା ଚାପକୁ କମାଇବା ପାଇଁ ଗ୍ୱାଦର ବନ୍ଦରର ବିକାଶ ଜରୁରୀ। କିନ୍ତୁ ସମାଲୋଚକମାନଙ୍କ କହିବା ଅନୁଯାୟୀ, ଏହି ଯୁକ୍ତି ସମ୍ପୂର୍ଣ୍ଣ ଠିକ୍ ମନେହେଉ ନାହିଁ।
ତଥ୍ୟ ଅନୁସାରେ, 2024 ମସିହାରେ ଗ୍ୱାଦର ବନ୍ଦରରେ ମାତ୍ର 34,000 ଟନ୍ ସାମଗ୍ରୀର କାରବାର ହୋଇଥିଲା। ସେହିପରି 2023 ମସିହାର ସାରା ବର୍ଷ ମଧ୍ୟରେ କେବଳ 17ଟି ଜାହାଜ ଏଠାରେ ପହଞ୍ଚିଥିଲା। ଅନ୍ୟପଟେ ପାକିସ୍ତାନର ପ୍ରାୟ 99 ପ୍ରତିଶତ ସାମୁଦ୍ରିକ ବ୍ୟାପାର ଆଜି ବି କରାଚି ଏବଂ ପୋର୍ଟ କାସିମ୍ ଜରିଆରେ ହିଁ ହେଉଛି।
ସମାଲୋଚକମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ବନ୍ଦରକୁ ବହୁତ କମ୍ ଜାହାଜ ଆସୁଛି, ତାହା କରାଚି ଭଳି ବ୍ୟସ୍ତବହୁଳ ବନ୍ଦରର ସମସ୍ୟାର ସମାଧାନ କିଭଳି ହୋଇପାରିବ? ତେଣୁ ସେମାନଙ୍କ ମତରେ, ଗ୍ୱାଦର ପ୍ରକଳ୍ପକୁ କେବଳ ଅର୍ଥନୈତିକ ଆବଶ୍ୟକତା ବୋଲି କହିବା ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ କରୁନାହିଁ।
ନେଭାଲ ବେସ୍ (ନୌସେନା ଘାଟି) ନିର୍ମାଣ ଯୋଜନା
ଏବେ ପାକିସ୍ତାନ ନୌସେନା ଗ୍ୱାଦରଠାରେ ଏକ ବଡ଼ ନେଭାଲ ବେସ୍ ନିର୍ମାଣ ଯୋଜନା ଉପରେ କାମ କରୁଛି। ନୌସେନାର କହିବା କଥା ଯେ, ଏହା ଜାତୀୟ ସୁରକ୍ଷା ଏବଂ ଗ୍ୱାଦର ବନ୍ଦରର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ। ଏହା ମାଧ୍ୟମରେ ସାମୁଦ୍ରିକ ମାର୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶକୁ ସୁରକ୍ଷା ଦିଆଯାଇପାରିବ।
ତେବେ ସମାଲୋଚକମାନେ କହିଛନ୍ତି ଯେ, ସରକାର ଏବଂ ସେନା ପକ୍ଷରୁ ଦିଆଯାଉଥିବା କାରଣଗୁଡ଼ିକ ମଧ୍ୟରେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାର କୌଣସି ଉଲ୍ଲେଖ ନାହିଁ। ସରକାରୀ ଦସ୍ତାବିଜରେ ସୁରକ୍ଷା, ବାଣିଜ୍ୟ ଏବଂ ରଣନୈତିକ ସ୍ୱାର୍ଥ ବିଷୟରେ ତ କୁହାଯାଉଛି, କିନ୍ତୁ ସ୍ଥାନୀୟ ସମୁଦାୟ, ରୋଜଗାର, ପରିବେଶ ଏବଂ ଲୋକଙ୍କ ସହମତି ଉପରେ ଅଧିକ ଆଲୋଚନା କରାଯାଉ ନାହିଁ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗ୍ୱାଦରର ଲୋକଙ୍କୁ କଣ ପଚରାଯାଇଛି ଯେ ସେମାନେ ନିଜ ସମୁଦ୍ର କୂଳରେ ପ୍ରାୟ 20ଟି ଯୁଦ୍ଧପୋତ କ୍ଷମତା ବିଶିଷ୍ଟ ଏକ ବଡ଼ ନୌସେନା ଘାଟି ଚାହାଁନ୍ତି କି ନାହିଁ? ସ୍ଥାନୀୟ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ଏଥିପାଇଁ କୌଣସି ବ୍ୟାପକ ଜନ-ପରାମର୍ଶ କରାଯାଇ ନାହିଁ।
2021 ମସିହାରୁ ଚାଲିଛି ଆନ୍ଦୋଳନ
ନଭେମ୍ବର 2021 ମସିହାରୁ ଗ୍ୱାଦରରେ ଅନେକ ଥର ବଡ଼ ବଡ଼ ବିରୋଧ ପ୍ରଦର୍ଶନ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ପାଣି, ବିଜୁଳି ଏବଂ ମାଛ ଧରିବା ସହ ଜଡ଼ିତ ସମସ୍ୟାର ଆନ୍ଦୋଳନ ବୋଲି ଧରାଯାଉଥିଲା। କିନ୍ତୁ ସମୟ ସହିତ ଏହି ଆନ୍ଦୋଳନ ରାଜନୈତିକ ଅଧିକାର ଦାବିରେ ରୂପାନ୍ତରିତ ହୋଇଯାଇଛି।
ଆନ୍ଦୋଳନକାରୀଙ୍କ କହିବା କଥା ହେଲା, ସେମାନେ ବିକାଶର ବିରୋଧୀ ନୁହନ୍ତି। ସେମାନେ ଚାହାଁନ୍ତି ଯେ ବିକାଶ ହେଉ, କିନ୍ତୁ ଏଭଳି ବିକାଶ ହେଉ ଯେଉଁଥିରେ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ରହିବ ଏବଂ ସେମାନଙ୍କୁ ମଧ୍ୟ ଏହାର ଲାଭ ମିଳିବ।
ସେମାନେ ଅନେକ ଥର ମକ୍ରାନ କୋଷ୍ଟାଲ ହାଇୱେ (Makran Coastal Highway) କୁ ଅବରୋଧ କରିଛନ୍ତି ଏବଂ ଶୋଭାଯାତ୍ରାମାନ ବାହାର କରିଛନ୍ତି। ସେମାନଙ୍କର ଅଭିଯୋଗ ଯେ, ସରକାର ସେମାନଙ୍କ ଜମି, ସମୁଦ୍ର ଏବଂ ସମ୍ପତ୍ତିର ବ୍ୟବହାର ତ କରୁଛନ୍ତି, ହେଲେ ନିଷ୍ପତ୍ତି ନେବା ସମୟରେ ସେମାନଙ୍କୁ ସାମିଲ କରୁନାହାନ୍ତି।
ମତ୍ସ୍ୟଜୀବୀଙ୍କୁ ମିଳିଲା ଆଇନଗତ ପରିଚୟ
‘ହକ୍ ଦୋ ତେହେରିକ’ ଆନ୍ଦୋଳନର ଏକ ବଡ଼ ସଫଳତା ଏହା ଥିଲା ଯେ, ଏହାର ଚାପରେ ପାକିସ୍ତାନରେ ମତ୍ସ୍ୟଜୀବୀମାନଙ୍କୁ ଶ୍ରମିକ ଭାବେ ଆଇନଗତ ମାନ୍ୟତା ମିଳିଲା। ଏହି ମାନ୍ୟତା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ର ମାନଦଣ୍ଡ ଅନୁଯାୟୀ ଦିଆଯାଇଛି।
ଏହା ବ୍ୟତୀତ ଆନ୍ଦୋଳନର ନେତା ମୌଲାନା ହିଦାୟତ ଉର ରହମାନ ବିଧାନସଭା ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହାଦ୍ୱାରା ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀ ସମୁଦାୟର ସ୍ୱର ସିଧାସଳଖ ରାଜନୈତିକ ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି।
ତଥାପି ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି, ପ୍ରକୃତ ସମସ୍ୟା ଏବେ ବି ସେମିତି ରହିଛି। ସେମାନଙ୍କ ଅଭିଯୋଗ ଯେ, ଗ୍ୱାଦରର ଭବିଷ୍ୟତ ସହ ଜଡ଼ିତ ବଡ଼ ବଡ଼ ନିଷ୍ପତ୍ତି ଏବେ ବି ସେମାନଙ୍କ ବିନା ପରାମର୍ଶରେ ନିଆଯାଉଛି।
ସୁରକ୍ଷାକୁ ପ୍ରାଥମିକତା, ଲୋକଙ୍କ ଚିନ୍ତା ପଛରେ
ରିପୋର୍ଟ ଅନୁସାରେ, ଗ୍ୱାଦରରେ ଆପଣାଯାଇଥିବା ମଡେଲ୍ “ସୁରକ୍ଷା ପ୍ରଥମ” (Security First) ଚିନ୍ତାଧାରା ଉପରେ ଆଧାରିତ। ଏଥିରେ ବ୍ୟାପାରିକ ମାର୍ଗ, ଚୀନର ପୁଞ୍ଜିନିବେଶ, CPEC ପ୍ରକଳ୍ପ ଏବଂ ପାକିସ୍ତାନ ନୌସେନାର ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଅନ୍ୟପଟେ ସ୍ଥାନୀୟ ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ସମୁଦାୟ ଏବଂ ସେହି ପରିବାରଗୁଡ଼ିକର ଚିନ୍ତାକୁ କମ୍ ଗୁରୁତ୍ୱ ମିଳୁଛି, ଯେଉଁମାନଙ୍କୁ ଭୟ ରହିଛି ଯେ ଏହି ନୂଆ ପ୍ରକଳ୍ପଗୁଡ଼ିକ ଯୋଗୁଁ ସେମାନେ ନିଜ ଜମି କିମ୍ବା ଜୀବିକା ହରାଇ ପାରନ୍ତି। ସମାଲୋଚକଙ୍କ କହିବା ଅନୁସାରେ, ସରକାରଙ୍କ ପ୍ରାଥମିକତା ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ବଦଳରେ କେବଳ ରଣନୈତିକ ସ୍ୱାର୍ଥ ପାଲଟିଯାଇଛି।
ଅନ୍ୟ ଏକ ବିକଳ୍ପ ରାସ୍ତା ମଧ୍ୟ ହୋଇପାରେ
ବିଶେଷଜ୍ଞମାନଙ୍କ ମତରେ, ଗ୍ୱାଦରର ବିକାଶ ପାଇଁ ଏକ ଦ୍ୱିତୀୟ ମଡେଲ୍ ମଧ୍ୟ ଆପଣାଯାଇପାରେ। ଏହି ମଡେଲ୍ରେ ସର୍ବପ୍ରଥମେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରାଯିବା ଉଚିତ। ପାଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ରୋଜଗାର ଭଳି ସମସ୍ୟାର ସମାଧାନ କରାଯାଉ, ଏହାପରେ ବଡ଼ ବଡ଼ ବିକାଶମୂଳକ ପ୍ରକଳ୍ପକୁ ଆଗକୁ ବଢ଼ାଯାଉ।
ଏହି ମଡେଲ୍ରେ ଏହା ମଧ୍ୟ ଜରୁରୀ ହେବ ଯେ କୌଣସି ବଡ଼ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହମତି ନିଆଯାଉ ଏବଂ ସେମାନଙ୍କୁ ନିଷ୍ପତ୍ତିର ଅଂଶବିଶେଷ କରାଯାଉ। ଏହାର ସମର୍ଥକମାନେ କୁହନ୍ତି ଯେ, ଏହି ପ୍ରକ୍ରିୟା ଧୀମା ନିଶ୍ଚୟ ହେବ, କିନ୍ତୁ ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଭରସା ବଢ଼ିବ ଏବଂ ଦୀର୍ଘକାଳୀନ ସ୍ଥିରତା ଆସିବ।
ସବୁଠାରୁ ବଡ଼ ପ୍ରଶ୍ନ
ଆଇନଗତ ଭାବେ ପାକିସ୍ତାନ ନୌସେନାକୁ ନେଭାଲ ବେସ୍ ନିର୍ମାଣ କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଅନୁମତିର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସମାଲୋଚକଙ୍କ କହିବା କଥା ହେଉଛି, ବାଲୁଚିସ୍ତାନ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କ ମତାମତକୁ ଅଣଦେଖା କରିବା ଦ୍ୱାରା ଭବିଷ୍ୟତରେ ଆହୁରି ଉତ୍ତେଜନା ପ୍ରକାଶ ପାଇପାରେ।
ସେମାନଙ୍କ କହିବା ଅନୁସାରେ, ପ୍ରଶ୍ନ କେବଳ ଏହା ନୁହେଁ ଯେ ପାକିସ୍ତାନକୁ ଆରବ ସାଗରରେ ଉତ୍ତମ ନୌସେନା ସୁବିଧାର ଆବଶ୍ୟକତା ଅଛି କି ନାହିଁ। ପ୍ରକୃତ ପ୍ରଶ୍ନ ହେଉଛି, ସରକାର ଗ୍ୱାଦରର ଲୋକଙ୍କୁ ବିକାଶର ଅଂଶୀଦାର କରିବେ କି ନାହିଁ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ, ଯଦି ବିକାଶର କେନ୍ଦ୍ରବିନ୍ଦୁ ସାଧାରଣ ନାଗରିକ ହେବେନାହିଁ, ତେବେ ବଡ଼ ବଡ଼ ପ୍ରକଳ୍ପ ମଧ୍ୟ କେବେ ସ୍ଥାୟୀ ଶାନ୍ତି ଏବଂ ସମୃଦ୍ଧି ଆଣିପାରିବ ନାହିଁ।