ୱାଶିଂଟନ୍: ବିଶ୍ୱ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ବିଳମ୍ବିତ ରାତିରେ ହେବାକୁ ଥିବା ସାଂଘାତିକ ସାମରିକ ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷ ମୁହୂର୍ତ୍ତରେ ରଦ୍ଦ କରିଛନ୍ତି। ଇରାନ ସହିତ ଚୁକ୍ତିନାମା ପାଇଁ ଆଲୋଚନା ଏକ ଉଚ୍ଚ ସ୍ତରରେ ପହଞ୍ଚିବା ସହ ଏହାକୁ ମଞ୍ଜୁରୀ ମିଳିସାରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ରେ ଏକ ପୋଷ୍ଟ ଶେୟାର କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି।
ଏହି ନିଷ୍ପତ୍ତି ପୂର୍ବରୁ ଟ୍ରମ୍ପ ଇରାନକୁ ଧ୍ୱଂସ କରିଦେବା ପାଇଁ ଏକ ବଡ଼ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ଆମେରିକା ଆଜି ରାତିରେ ଇରାନ ଉପରେ ଜୋରଦାର ଆକ୍ରମଣ କରିବ। ଇରାନର ନେଭି, ଏୟାର ଫୋର୍ସ, ରଡାର, ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ସମଗ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦିଆଯିବ। ଏପରିକି ଆଗାମୀ ଦିନରେ ଆମେରିକା ଇରାନର ଖାର୍ଗ ଦ୍ୱୀପ ଏବଂ ତୈଳ ଭିତ୍ତିଭୂମି ଉପରେ କବଜା କରିବ ବୋଲି ମଧ୍ୟ ଟ୍ରମ୍ପ ଧମକ ଦେଇଥିଲେ। ଭେନେଜୁଏଲା ଭଳି ଇରାନର ଗ୍ୟାସ ଓ ତେଲ ବଜାରକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଆଲୋଚନା ସଫଳ, ଟଳିଲା ଯୁଦ୍ଧ
ତେବେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ହଠାତ୍ ସ୍ଥିତି ବଦଳିଛି। ଟ୍ରମ୍ପ ଲେଖିଛନ୍ତି, ଇରାନର ସର୍ବୋଚ୍ଚ ନେତୃତ୍ୱଙ୍କ ସହ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାକୁ ସ୍ୱୀକୃତି ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଭାବେ ମୁଁ ଆଜି ସନ୍ଧ୍ୟାରେ ଇରାନ ବିପକ୍ଷରେ ହେବାକୁ ଥିବା ନିର୍ଦ୍ଧାରିତ ସାମରିକ ଆକ୍ରମଣ ଏବଂ ବୋମାମାଡ଼କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, ଏହି ପ୍ରସ୍ତାବିତ ଚୁକ୍ତିକୁ ସମସ୍ତ ସମ୍ପୃକ୍ତ ପକ୍ଷ ଏବଂ ମଧ୍ୟସ୍ଥି ଦେଶ ମଞ୍ଜୁରୀ ଦେଇଛନ୍ତି। ଏହି ବଡ଼ ନିଷ୍ପତ୍ତିରେ ଆମେରିକା ସମେତ ଇସ୍ରାଏଲ, ସାଉଦି ଆରବ, ୟୁଏଇ (UAE), କତାର, ତୁର୍କୀ, ପାକିସ୍ତାନ, ବହରିନ, କୁଏତ, ଜର୍ଦ୍ଦାନ ଏବଂ ମିଶର ଭଳି ଅନେକ ଦେଶ ସାମିଲ ଅଛନ୍ତି। ତେବେ ଯେପର୍ଯ୍ୟନ୍ତ ଏହି ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ, ସେପର୍ଯ୍ୟନ୍ତ ସମୁଦ୍ର ପଥରେ ଇରାନ ଉପରେ ଲାଗିଥିବା ନୌସେନା ନାକାବନ୍ଦୀ ବଳବତ୍ତର ରହିବ।