ୱାଶିଂଟନ/ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଭାରତୀୟ ନାବିକ ଥିବା ବାଣିଜ୍ୟିକ ଜାହାଜ ଗୁଡ଼ିକ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆନ୍ତର୍ଜାତୀୟ ରାଜନୀତି ଏବେ ସରଗରମ ହୋଇଛି। ଏହି ଘଟଣାକୁ ନେଇ ଭାରତ ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ଆମେରିକୀୟ କୂଟନୀତିଜ୍ଞଙ୍କୁ ତଲବ କରିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଜାହାଜ ଉପରେ ଆମେରିକା ନୁହେଁ, ବରଂ ଇରାନ ଆକ୍ରମଣ କରିଛି ଏବଂ ଆମେରିକା ସେନା ଏହି ଆକ୍ରମଣକୁ ବିଫଳ କରିଦେଇଛି।
ଇରାନର ଏଭଳି କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଏକ ପୋଷ୍ଟ କରି ଇରାନ ଉପରେ ସିଧାସଳଖ ବର୍ଷିଛନ୍ତି। ସେ ଲେଖିଛନ୍ତି, ଗତରାତିରେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଗତି କରୁଥିବା ଭାରତୀୟ ଜାହାଜ ଗୁଡ଼ିକ ଉପରେ ଇରାନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। କିନ୍ତୁ ଆମେରିକୀୟ ସେନା ଏହାକୁ ସମ୍ପୂର୍ଣ୍ଣ ଭାବେ ବିଫଳ କରିଦେଇଛି। ଏଭଳି ଉଦ୍ଦେଶ୍ୟମୂଳକ ଆକ୍ରମଣକୁ କୌଣସି ପରିସ୍ଥିତିରେ ବି ବରଦାସ୍ତ କରାଯିବ ନାହିଁ। ଇରାନକୁ ତୁରନ୍ତ ନିଜର ଏହି ଅମାନୁଷିକ ସୀମାଲଙ୍ଘନ ବନ୍ଦ କରିବାକୁ ହେବ।
ଉଲ୍ଲେଖଯୋଗ୍ୟ, ଗୁରୁବାର ଇରାନର ଜଏଣ୍ଟ ମିଲିଟ୍ରି କମାଣ୍ଡ ପକ୍ଷରୁ ହୋର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହି ରାସ୍ତା ଦେଇ ଯଦି କୌଣସି ତେଲ ଟ୍ୟାଙ୍କର କିମ୍ବା ବାଣିଜ୍ୟିକ ଜାହାଜ ଯାତ୍ରା କରେ, ତେବେ ତାହା ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଚେତାବନୀ ଦେଇଥିଲା। ଏହାର ଠିକ୍ ପରେ ହିଁ ଭାରତୀୟ ଜାହାଜକୁ ଟାର୍ଗେଟ୍ କରାଯାଇଛି।
ଚୁକ୍ତିକୁ ନେଇ କ୍ଷୋଭ ପ୍ରକାଶ କଲେ ଟ୍ରମ୍ପ
ଭାରତୀୟ ଜାହାଜ ଉପରେ ଆକ୍ରମଣ ବ୍ୟତୀତ ଟ୍ରମ୍ପ ଇରାନ ସହିତ ଚାଲିଥିବା ଆଲୋଚନା ଓ ଚୁକ୍ତିନାମା ଉପରେ ମଧ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ ମିଡିଆକୁ ଚୁକ୍ତି ସମ୍ପର୍କିତ ଯେଉଁ ତଥ୍ୟ ଲିକ୍ କରିଛି, ତାହା ସମ୍ପୂର୍ଣ୍ଣ ମିଛ ଏବଂ ପ୍ରକୃତ ଚୁକ୍ତି ସହ ଏହାର କୌଣସି ସମ୍ପର୍କ ନାହିଁ। ଇରାନର ଏଭଳି ଦାୟିତ୍ୱହୀନ ବୟାନ ସତ୍ୟ ଠାରୁ ବହୁ ଦୂରରେ। ଏହି ଦେଶ ସହିତ କୌଣସି ବିଷୟରେ ଆଲୋଚନା କରିବା ଅପମାନଜନକ।