ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଏକ ଗୁପ୍ତ ସାମରିକ ଅଭିଯାନ ମାଧ୍ୟମରେ ଆମେରିକା ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଏବଂ ତୈଳ ଟ୍ୟାଙ୍କରଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଅଭିଯାନ ଦ୍ୱାରା ବିଶ୍ୱ ବଜାରରେ ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ପହଞ୍ଚିପାରିଛି, ଯେତେବେଳେ ୨୦୦ରୁ ଅଧିକ ବାଣିଜ୍ୟିକ ଜାହାଜ ଏହି ରାସ୍ତା ଦେଇ ସୁରକ୍ଷିତ ଭାବରେ ପାର ହୋଇଛି।
ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଗତ ମାସରେ ସେ ଆମେରିକୀୟ ସେନାକୁ ତୈଳ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦେବା ପାଇଁ ଏକ ଗୁପ୍ତ ମିଶନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ ଲେଖିଛନ୍ତି, ଆଜି ମୁଁ ଏହା ଜଣାଇ ଖୁସି ଯେ ଏହି ପ୍ରୟାସର ଫଳସ୍ୱରୂପ, ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ହର୍ମୁଜ୍ ପ୍ରଣାଳୀ ଦେଇ ଖୋଲା ବଜାରକୁ ଯାଇଛି। ୨୦୦ରୁ ଅଧିକ ବାଣିଜ୍ୟିକ ଜାହାଜ ମଧ୍ୟ ଏହି ରାସ୍ତା ଦେଇ ସୁରକ୍ଷିତ ଭାବରେ ପାର ହୋଇଛି।
ଟ୍ରମ୍ଫ ଦାବି କରିଛନ୍ତି ଯେ ଏହି ସଫଳତାର କାରଣ ହେଉଛି ଇରାନ ନୁହେଁ, ଆମେରିକା ହରମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରେ। ସେ କହିଛନ୍ତି ଯେ ଇରାନର ସାମରିକ କ୍ଷମତା ଦୁର୍ବଳ ହୋଇଯାଇଛି ଏବଂ ଏହାର ଅର୍ଥନୀତି ସଙ୍କଟରେ ଅଛି। ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏହି ଅଭିଯାନ ଏକ ବଡ଼ ସଫଳତା ଥିଲା କାରଣ ଇରାନ ନୁହେଁ, ଆମେରିକା ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣ କରେ। ସେମାନଙ୍କର ସାମରିକ ପରାଜୟ ହୋଇଛି ଏବଂ ସେମାନଙ୍କର ଅର୍ଥନୀତି ଭୁଶୁଡ଼ି ପଡ଼ିଛି।
ଟ୍ରମ୍ପ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଇରାନ ସହିତ ଚାଲିଥିବା ଆଲୋଚନା ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତେହେରାନ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାରେ ବିଳମ୍ବ କରୁଛି, ଯାହା ଫଳରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରେରଣା ଦେଉଛି। ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ଆମେ ସେମାନଙ୍କ ଉପରେ ଆକ୍ରମଣ କରିବୁ, ଏବଂ ଆମେ ସେମାନଙ୍କ ଉପରେ ବହୁତ କଠୋର ଆକ୍ରମଣ କରିବୁ।
ସେ ଏହା ମଧ୍ୟ ଦାବି କରିଥିଲେ ଯେ ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଗୁଳି କରି ଖସାଇ ଦେବା ପରେ ଆମେରିକାର ପ୍ରତିଶୋଧ ନେବାର ଅଧିକାର ଅଛି। ଟ୍ରମ୍ପ କହିଛନ୍ତି, ଆମେ ଗତକାଲି କଡ଼ା ଜବାବ ଦେଇଥିଲୁ, ଏବଂ ଆମେ ଆଜି ମଧ୍ୟ ଏପରି କରିବୁ। ଏବେ ଆମେ ଦେଖିବୁ ଚୁକ୍ତିନାମାର କ'ଣ ହୁଏ।
ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ସମ୍ପୂର୍ଣ୍ଣ ପ୍ରସ୍ତୁତ, ଏବଂ କେବଳ ଇରାନର ଅନୁମୋଦନ ଏବଂ ସ୍ୱାକ୍ଷର ବାକି ଅଛି। ସେ କହିଛନ୍ତି, ଚୁକ୍ତିନାମା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେମାନଙ୍କୁ କେବଳ ଦଲିଲରେ ସ୍ୱାକ୍ଷର କରିବାକୁ ପଡିବ, କିନ୍ତୁ ସେମାନେ ନିରନ୍ତର ସମୟ ମାଗୁଛନ୍ତି।
ଅଧିକ ପଢ଼ନ୍ତୁ: ତେହେରାନ ସମେତ ଅନେକ ସହର ଉପରେ ଆକ୍ରମଣ