ମୟୂରଭଞ୍ଜ ଜିଲ୍ଲାରେ ମାଫିଆ ସାମ୍ରାଜ୍ୟ ଉପରେ ପୋଲିସର ବଡ଼ ପ୍ରହାର। ଅପରାଧୀ ଓ ବେଆଇନ କାରବାର କରୁଥିବା ଗ୍ୟାଙ୍ଗ୍ ବିରୋଧରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ବଡ଼ ଧରଣର ମେଗା ଅପରେସନ ଆରମ୍ଭ ହୋଇଛି। ଆଜି ସକାଳୁ ଜିଲ୍ଲାର ୩ଟି ପ୍ରମୁଖ ଥାନା ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି। ବିଶେଷ କରି ଗୋ-ମାଫିଆ ଏବଂ ଗଞ୍ଜେଇ ମାଫିଆଙ୍କ କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ସହ ସେମାନଙ୍କ ବେଆଇନ ସମ୍ପତ୍ତିକୁ ଜବତ କରିବା ପାଇଁ ପୋଲିସ ଏହି ଆକ୍ସନ ମୋଡ୍କୁ ଆସିଛି।
ମିଳିଥିବା ସୂଚନା ମୁତାବକ, ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସ ଚଢ଼ାଉ କରିଛି। ସ୍ଥାନୀୟ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ପୋଲିସ ସ୍ପେଶାଲ ଟିମ୍ ଯାଞ୍ଚ ଚଳାଇଛି। ଅନ୍ୟପଟେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରାଇ ଗ୍ରାମର ଏସ କେ ଟକରା ଓ ଏସ କେ ତବରେଜଙ୍କ ଘର ଏବଂ ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ଜଂଖିରି ଗ୍ରାମରେ ଥିବା ଗୋ-ମାଫିଆଙ୍କ ଆଡ୍ଡା ସ୍ଥଳରେ ଜୋରଦାର ରେଡ୍ ଚାଲିଛି।
ବେଆଇନ କାର୍ଯ୍ୟକଳାପ ଓ ନିଶା କାରବାର ମାଧ୍ୟମରେ ମାଫିଆମାନେ ଅର୍ଜନ କରିଥିବା କୋଟି କୋଟି ଟଙ୍କାର ସମ୍ପତ୍ତିର ଆକଳନ ଏବଂ ତାହାକୁ ବାଜ୍ୟାପ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ପୋଲିସ ହାତରେ କେତେ ପରିମାଣର ସମ୍ପତ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଛି, ସେନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।