ଭୁବନେଶ୍ୱର: ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ, କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ, କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ, ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି ।
ଭୁବନେଶ୍ୱର ୟୁନିଟ୍-୩, ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆମ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍ ଓ ସବ୍କା ପ୍ରୟାସ୍’ର ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛନ୍ତି । ମୋଦୀଜୀଙ୍କ ବିକଶିତ ଭାରତର ସ୍ୱପ୍ନ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦକୁ ପାଥେୟ କରି ଆମେ ଏକ ସମୃଦ୍ଧ, ସଶକ୍ତ ଏବଂ ସ୍ୱାଭିମାନୀ ଓଡ଼ିଶା ଗଢ଼ିବାକୁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛୁ ।
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ଯୋଜନା ନୁହେଁ, ଏହା ଆମ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା, ଗରିବ ଜନସାଧାରଣଙ୍କ ପ୍ରତି ସମ୍ୱେଦନଶୀଳତା ଓ ରାଜ୍ୟର ପ୍ରତ୍ୟେକ ପରିବାର’ର ଭାତ ଥାଳିକୁ ସୁରକ୍ଷିତ କରିବାର ଏକ ଐତିହାସିକ ସଂକଳ୍ପ । ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଏହା ହେଉଛି ଆମ ସରକାରଙ୍କ ଭେଟି ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀ ସେମାନଙ୍କ ନିୟମିତ ନିଶୁଳ୍କ ଚାଉଳ ସହିତ ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ । ସୂଚନାଯୋଗ୍ୟ ଯେ, ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ ୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ପାଉଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ପ୍ରତ୍ୟେକ ହିତାଧିକାରୀ ୧୦ କିଲୋ ଲେଖାଏଁ ଚାଉଳ ବିନା ମୂଲ୍ୟରେ ପାଇବେ ।
ରାଜ୍ୟର ସମୁଦାୟ ୧ କୋଟି ୯୬ ହଜାର ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ସଦସ୍ୟ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ୮୦ ପ୍ରତିଶତ ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାର ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ବ୍ୟୟ ଆମ ପାଇଁ ଖର୍ଚ୍ଚ ନୁହେଁ, ଏହା ଏକ ପବିତ୍ର ସାମାଜିକ ନିବେଶ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଆମ ସରକାର ହେଉଛି ଅନ୍ତ୍ୟୋଦୟର ସରକାର । ସମାଜର ଶେଷ ଧାଡ଼ିରେ ରହିଥିବା ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତ ସୁବିଧା ଓ ବିକାଶ ପହଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ଏକ ଭୋକମୁକ୍ତ ଓ ଭୟମୁକ୍ତ ସମାଜ ଗଠନ ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ।
ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଗରିବ ପରିବାରର ଦୁଃଖ ବୁଝି ମୁଖ୍ୟମନ୍ତ୍ରୀ ଏହି ଜନକଲ୍ୟାଣକାରୀ ଅନ୍ନପୂର୍ଣ୍ଣା ଯୋଜନା ଓ ଜନାଶ୍ରୟ ଭବନର ପରିକଳ୍ପନା କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣକୁ ଆଶ୍ରୀତ କରି ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଆମ ସରକାର ବିକାଶ ଓ ଜନସେବା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଥିଲେ ।
ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ଆଜି ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।