ଧର୍ମଶାଳା: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଜୁନ୍ ୧୩ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ହିମାଚଳ ପ୍ରଦେଶ ସ୍ଥିତ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଦିନିକିଆ ସିରିଜ୍ ଉପରେ ରହିଛି। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ନିରାଶଜନକ ଖବର ସାମ୍ନାକୁ ଆସିଛି। ଧର୍ମଶାଳା ଧର୍ମଶାଲା ଆକାଶରେ କଳା ବାଦଲପ୍ରଶଂସକଙ୍କ ମନରେ ମ୍ୟାଚ୍ ବାତିଲ ହେବାର ଭୟ ସୃଷ୍ଟି କରିଛି।
୯୦ ପ୍ରତିଶତ ବର୍ଷା ଆଶଙ୍କା
ପାଣିପାଗ ୱେବସାଇଟ୍ ଆକ୍ୟୁୱେଦରର ରିପୋର୍ଟ ଅନୁଯାୟୀ, ଶନିବାର ଧର୍ମଶାଳାରେ ପ୍ରବଳ ବର୍ଷା ହେବାର ପ୍ରାୟ ୯୦ ପ୍ରତିଶତ ସମ୍ଭାବନା ରହିଛି। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ଦିନ ୧:୩୦ ମିନିଟ୍ରେ ଆରମ୍ଭ ହେବ। କିନ୍ତୁ ସେହି ଦ୍ୱିପ୍ରହର ସମୟରେ ହିଁ ବର୍ଷା ହେବାର ଆଶଙ୍କା ୭୯ ପ୍ରତିଶତ ରହିଛି। ଏହି ସମୟରେ ପ୍ରାୟ ୨୪ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହ ଆକାଶ ୬୪ ପ୍ରତିଶତ ଘନ ବାଦଲ ରହିବ। ପାଣିପାଗର ଏଭଳି ପୂର୍ବାନୁମାନକୁ ଦେଖିଲେ ମ୍ୟାଚ୍ ସମ୍ପୂର୍ଣ୍ଣ ହେବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବର୍ଷା ଯୋଗୁଁ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ନହୁଏ, ତେବେ ଓଭର ସଂଖ୍ୟା କମାଯାଇ ଖେଳ କରାଯାଇପାରେ।
ପିଚ୍ ରିପୋର୍ଟ
ଧର୍ମଶାଳାର ଏହି ପିଚ୍ ସର୍ବଦା ଦ୍ରୁତ ବୋଲରମାନଙ୍କୁ ବେଶ୍ ସହାୟତା କରିଥାଏ। ଯଦି ଆକାଶରେ ମେଘୁଆ ପାଣିପାଗ ରହେ ଏବଂ ବର୍ଷାର ପରିବେଶ ସୃଷ୍ଟି ହୁଏ, ତେବେ ତାହା ଦ୍ରୁତ ବୋଲରଙ୍କୁ ବେଶ ସୁହାଇବ । ବୋଲରମାନେ ପିଚ୍ରୁ ସୁଇଙ୍ଗ୍ ଏବଂ ବାଉନ୍ସ ପାଇବେ, ଯାହା ବ୍ୟାଟରମାନଙ୍କ ପାଇଁ ବଡ଼ ମୁସ୍କିଲ୍ ସୃଷ୍ଟି କରିପାରେ।
୩ ବର୍ଷ ପରେ ଧର୍ମଶାଳାକୁ ଫେରୁଛି ଦିନିକିଆ କ୍ରିକେଟ୍
ସୂଚନାଯୋଗ୍ୟ ଯେ, ଏହି ମୈଦାନରେ ଶେଷ ଥର ପାଇଁ ୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ମ୍ୟାଚ୍ ଖେଳାଯାଇଥିଲା। ଏହାପରେ ପ୍ରାୟ ୩ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଧର୍ମଶାଳା ଷ୍ଟାଡିୟମ୍କୁ ଦିନିକିଆ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ହେଉଛି। କିନ୍ତୁ ଏହି ଐତିହାସିକ ପ୍ରତ୍ୟାବର୍ତ୍ତନ ଉପରେ ଏବେ ବର୍ଷାର କଳା ବାଦଲ ମାଡ଼ି ଆସିଛି।