ଦୁବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଆଗାମୀ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ କୁ ନେଇ ସୂଚୀ ପ୍ରସ୍ତୁତ ହୋଇସାରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରିକେଟର ସବୁଠୁ ବଡ଼ ଇଭେଣ୍ଟ ବିଶ୍ଵକପ ୨୦୨୭ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୪୬ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ମୋଟ ୫୪ଟି ମ୍ୟାଚ୍ ଖେଳାଯିବ ଏବଂ ବିଶ୍ୱର ଶୀର୍ଷ ୧୪ଟି ଦଳ ଟ୍ରଫି ହାତେଇବା ପାଇଁ ପଡ଼ିଆକୁ ଓହ୍ଲାଇବେ।
୩ଟି ଦେଶରେ ଖେଳାଯିବ ମ୍ୟାଚ୍
ଏହି ବିଶ୍ୱକପକୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି। ତେବେ ଏଥିରେ ଦକ୍ଷିଣ ଆଫ୍ରିକା ମୁଖ୍ୟ ଆୟୋଜକ ସାଜିବ। ଦକ୍ଷିଣ ଆଫ୍ରିକାର ୮ଟି ପ୍ରମୁଖ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍ ଏବଂ ନକ୍-ଆଉଟ୍ ମୁକାବିଲା ଖେଳାଯିବ। ଏଥିରେ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସ, କେପଟାଉନର ନ୍ୟୁଲ୍ୟାଣ୍ଡସ ଏବଂ ଡରବାନର କିଙ୍ଗସମିଡ୍ ଭଳି ଐତିହାସିକ ପଡ଼ିଆ ସାମିଲ ଅଛି। ସେହିପରି ଜିମ୍ବାୱେର ଦୁଇଟି ସହର ହରାରେ ଓ ବୁଲାୱାୟୋରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପଟେ ନାମିବିଆ ପ୍ରଥମ ଥର ପାଇଁ କୌଣସି ବଡ଼ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଥିବା ବେଳେ ସେଠାକାର ଦୁଇଟି ମୈଦାନରେ ମଧ୍ୟ ମ୍ୟାଚ୍ ଖେଳାଯିବ।
୧୪ଟି ଦଳ ଏବଂ ୨୦୦୩ ଫର୍ମାଟ୍ର ପ୍ରତ୍ୟାବର୍ତ୍ତନ
୨୦୨୭ ବିଶ୍ୱକପ୍ଟି ଗତ ୨୦୨୩ ବିଶ୍ୱକପ୍ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ହେବ। ଏଥର ଆଇସିସି ପୁଣିଥରେ ନିଜର ପୁରୁଣା ୨୦୦୩ ବିଶ୍ୱକପ୍ ଫର୍ମାଟ୍କୁ ଫେରାଇ ଆଣିଛି। ଏହି ନୂଆ ବ୍ୟବସ୍ଥାରେ ମୋଟ ୧୪ଟି ଦଳ ଭାଗ ନେବେ ଏବଂ ସେମାନଙ୍କୁ ୭-୭ କରି ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ ୩ଟି ଦଳ 'ସୁପର-ସିକ୍ସ' ରାଉଣ୍ଡରେ ପ୍ରବେଶ କରିବେ। ସୁପର-ସିକ୍ସର ଶ୍ରେଷ୍ଠ ୪ଟି ଦଳ ମଧ୍ୟରେ ସେମିଫାଇନାଲ୍ ଖେଳାଯିବ ଏବଂ ନଭେମ୍ବର ୨୧ରେ ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ।
କେଉଁ ଦଳ ପାଇବେ ସିଧାସଳଖ ଏଣ୍ଟ୍ରି ?
ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେକୁ ଏହି ବିଶ୍ୱକପ୍ ପାଇଁ ସିଧାସଳଖ ଟିକେଟ୍ ମିଳିଛି। ଏହା ସହିତ ଆଇସିସି ରାଙ୍କିଙ୍ଗର ଶୀର୍ଷ ୮ଟି ଦଳ ମଧ୍ୟ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। କିନ୍ତୁ ନାମିବିଆ ଆୟୋଜକ ଦେଶ ହୋଇଥିଲେ ମଧ୍ୟ ଦଳକୁ କ୍ୱାଲିଫାୟର୍ ରାଉଣ୍ଡ ଦେଇ ଗତି କରିବାକୁ ପଡ଼ିବ। ବାକି ରହିଥିବା ୪ଟି ସ୍ଥାନ ପାଇଁ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ।