ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ କୃଷ୍ଣସାର ମୃଗ ମାମଲାର ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କୌଣସି ପୁରୁଣା କୋର୍ଟ କେସ୍ ନୁହେଁ, ବରଂ ଏକ ଆଗାମୀ ସିନେମାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି 'ଭାଇଜାନ୍'। ନିକଟରେ ଘୋଷଣା ହୋଇଥିବା ଚଳଚ୍ଚିତ୍ର 'କାଳା ହିରଣ: ବ୍ୟାଟେଲ ଫର୍ ଲିଗାସୀ'କୁ ନେଇ ସଲମାନ ଖାନ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ସଲମାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଶୁକ୍ରବାର ଦିନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଅଦାଲତରେ ସଲମାନ ଖାନଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ନିଜାମ ପାଶା ଜୋରଦାର ଦଳିଲ୍ ଉପସ୍ଥାପନ କରିଥିଲେ। ସେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଗତ ମେ ୨୯ ତାରିଖରେ ଏହି ଫିଲ୍ମର ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଥିଲେ। ଏହି ପୋଷ୍ଟରରେ ଜଣେ ବ୍ୟକ୍ତିଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ଭଳି ଦେଖାଯାଉଛି ଏବଂ ତାଙ୍କର ପୋଷାକ ମଧ୍ୟ ସଲମାନଙ୍କ ଛବି ସହ ସମ୍ପୂର୍ଣ୍ଣ ମିଳିଯାଉଛି। କୃଷ୍ଣସାର ମୃଗ ଶିକାର ମାମଲାରେ ଜଡ଼ିତ ମୋଟ ୪ଟି ଏଫ୍ଆଇଆର୍ ମଧ୍ୟରୁ ୩ଟିରେ ସଲମାନ ଖାନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି।ଏହା ସତ୍ତ୍ୱେ ମଧ୍ୟ ଫିଲ୍ମ ମେକରମାନେ ତାଙ୍କର ପରିଚୟ ଏବଂ ବ୍ୟକ୍ତିଗତ ପରିଚୟ ସୁରକ୍ଷା ଅଧିକାରର ଉଲ୍ଲଂଘନ କରି ଏହି ସିନେମା ନିର୍ମାଣ କରୁଛନ୍ତି।
ଫିଲ୍ମର ଟ୍ରେଲର ରିଲିଜ୍, ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇବାକୁ ଦାବି
ସଲମାନଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ପ୍ରତିଦିନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ବାହାନାରେ ସଲମାନ ଖାନଙ୍କ ନାମକୁ ନେଇ ଚର୍ଚ୍ଚା କରାଯାଉଛି, ଯାହାଦ୍ୱାରା ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। ଶୁକ୍ରବାର ସକାଳେ ହିଁ ଏହି ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି। ଯଦିଓ ଫିଲ୍ମ କେବେ ପ୍ରେକ୍ଷାଳୟକୁ ଆସିବ ସେ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ, ତଥାପି ସଲମାନଙ୍କ ପକ୍ଷରୁ ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ପ୍ରଚାର ପ୍ରସାର ଏବଂ ରିଲିଜ୍ ଉପରେ ସ୍ଥାୟୀ ରୋକ୍ ଲଗାଇବାକୁ ଅଦାଲତଙ୍କ ନିକଟରେ ଗୁହାରି କରାଯାଇଛି। ହାଇକୋର୍ଟ ବର୍ତ୍ତମାନ ଫିଲ୍ମ ନିର୍ମାତାଙ୍କ ଜବାବକୁ ଅପେକ୍ଷା କରିଛନ୍ତି, ଯାହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।