ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦଠାରେ ଘଟିଥିବା ଭୟାବହ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଆଜି ଏକ ବର୍ଷ ପୂରିଛି। ଗତ ୨୦୨୫ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ଫ୍ଲାଇଟ୍ ‘AI-171’ ଦୁର୍ଘଟଣାର ଶିକାର ହୋଇଥିଲା। ଏହି କରୁଣ ସ୍ମୃତିକୁ ମନେ ପକାଇ ଆଜି ମଧ୍ୟ ଲୋକଙ୍କ ଛାତି ଥରି ଉଠୁଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣ ଏବଂ ସ୍ଥଳଭାଗରେ ଥିବା ୧୯ ଜଣଙ୍କୁ ମିଶାଇ ମୋଟ ୨୬୦ ଜଣ ପ୍ରାଣ ହରାଇଥିଲେ। ଏହି ବଡ଼ ବିପର୍ଯ୍ୟୟ ପଛର ପ୍ରକୃତ କାରଣ ଖୋଜିବା ପାଇଁ ଆଜି ବି ତଦନ୍ତ ଜାରି ରହିଛି।
ଘଟଣାର ଏକ ବର୍ଷ ପୂର୍ତ୍ତି ଅବସରରେ ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ସଂସ୍ଥା ‘ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ’ (AAIB) ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତଦନ୍ତର ପ୍ରଗତି ନେଇ ଏକ ବଡ଼ ଅପଡେଟ୍ ଦେଇଛି।AAIB ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ବିମାନ ଦୁର୍ଘଟଣାର ଯାଞ୍ଚ ପ୍ରକ୍ରିୟା ଆନ୍ତର୍ଜାତୀୟ ମାନଦଣ୍ଡ ଓ ନିୟମ ଅନୁସାରେ ଅତ୍ୟନ୍ତ ସ୍ୱଚ୍ଛତାର ସହ ଚାଲିଛି।
ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ୨୦୨୫ ଜୁଲାଇ ୧୨ରେ ପ୍ରକାଶ ପାଇଥିଲା, ଯେଉଁଥିରେ କେବଳ ପ୍ରାଥମିକ ତଥ୍ୟ ରଖାଯାଇଥିଲା। ଗତ ଏକ ବର୍ଷ ମଧ୍ୟରେ ଯାଞ୍ଚ କମିଟି ଦୁର୍ଘଟଣାର ପ୍ରତିଟି ଦିଗକୁ ଅନୁଧ୍ୟାନ କରିଛି। ବିମାନର ସିଷ୍ଟମ୍, ବ୍ଲାକ୍ ବକ୍ସ ବା ଫ୍ଲାଇଟ୍ ରେକର୍ଡରର ଡାଟା, ଇଞ୍ଜିନର ବିଭିନ୍ନ ଅଂଶ ଏବଂ ବିମାନର ରକ୍ଷଣାବେକ୍ଷଣ ରେକର୍ଡର ଯାଞ୍ଚ ପ୍ରକ୍ରିୟାରେ ବେଶ୍ ଅଗ୍ରଗତି ଘଟିଛି। ଏହି ଜଟିଳ କାର୍ଯ୍ୟରେ ଦେଶ ତଥା ବିଦେଶର ବହୁ ବିଶେଷଜ୍ଞ ମଧ୍ୟ ସାହାଯ୍ୟ କରୁଛନ୍ତି।
କେବେ ଆସିବ ଚୂଡ଼ାନ୍ତ ରିପୋର୍ଟ?
ବର୍ତ୍ତମାନ ସୁଦ୍ଧା ସଂଗୃହୀତ ହୋଇଥିବା ସମସ୍ତ ପ୍ରମାଣର ଗଭୀର ବିଶ୍ଳେଷଣ କରାଯାଉଛି। ଯେଉଁଠି ଆବଶ୍ୟକ ପଡ଼ିବ, ସେଠାରେ ଅଧିକ ବୈଷୟିକ ଏବଂ ଲାବୋରେଟୋରୀ ପରୀକ୍ଷା ମଧ୍ୟ କରାଯିବ, ଯେପରିକି ପ୍ରତ୍ୟେକ ନିଷ୍କର୍ଷ କେବଳ ନିଦେ୍ର୍ଦାଶାତ୍ମକ ପ୍ରମାଣ ଉପରେ ଆଧାରିତ ହେବ।
ତେବେ ଚୂଡ଼ାନ୍ତ ବା ଫାଇନାଲ୍ ରିପୋର୍ଟ କେବେ ପ୍ରକାଶ ପାଇବ, ସେ ନେଇ ସଂସ୍ଥା ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। AAIB ସ୍ପଷ୍ଟ କରିଛି ଯେ, ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ହିଁ ଅନ୍ତରାଷ୍ଟ୍ରୀୟ ନିୟମ ଅନୁଯାୟୀ ଏହାର ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ କରାଯିବ।