ନୂଆଦିଲ୍ଲୀ:‘ଇଣ୍ଡିଆ ଏ’ ଦଳ ପକ୍ଷରୁ ଖେଳୁଥିବା ଷ୍ଟାର୍ ବ୍ୟାଟର ରୁତୁରାଜ ଗାୟକୱାଡ୍ ଶ୍ରୀଲଙ୍କା ‘ଏ’ ବିପକ୍ଷ ମ୍ୟାଚ୍ରେ ଏକ ଦମଦାର ଶତକ ହାସଲ କରି ଇତିହାସ ରଚିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ରୁତୁରାଜ ବେଶ୍ ସଂଯମତାର ସହ ବ୍ୟାଟିଂ କରି ମାତ୍ର ୧୧୨ଟି ବଲ୍ରେ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଲିଷ୍ଟ-ଏ କ୍ରିକେଟ୍ କ୍ୟାରିୟରରେ ଏହା ହେଉଛି ୨୧ତମ ଶତକ। ଏହି ଇନିଂସରେ ୯ଟି ବାଉଣ୍ଡ୍ରି ମାରିବା ସହ ଅଧିନାୟକ ତିଲକ ବର୍ମାଙ୍କ ସହ ମିଶି ଶତକୀୟ ଭାଗିଦାରୀ ମଧ୍ୟ କରିଥିଲେ।
ରାହୁଲ ଦ୍ରାବିଡ଼ ଓ ଗୌତମ ଗମ୍ଭୀରଙ୍କ ସମକକ୍ଷ
ଏହି ଚମତ୍କାର ଶତକୀୟ ଇନିଂସ ବଳରେ ରୁତୁରାଜ ଗାୟକୱାଡ୍ ଭାରତର ଦୁଇ ଜଣ ପ୍ରତିଷ୍ଠିତ କ୍ରିକେଟରଙ୍କ ବଡ଼ ରେକର୍ଡର ସମକକ୍ଷ ହୋଇଛନ୍ତି। ଲିଷ୍ଟ-ଏ କ୍ରିକେଟ୍ରେ ସବୁଠାରୁ ଅଧିକ ଶତକ ମାରିବା ମାମଲାରେ ସେ ଏବେ ପୂର୍ବତନ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଏବଂ ବର୍ତ୍ତମାନର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବରାବର କରିଛନ୍ତି। ଦ୍ରାବିଡ଼ ଓ ଗମ୍ଭୀର ମଧ୍ୟ ନିଜ ନିଜ ଲିଷ୍ଟ-ଏ କ୍ୟାରିୟରରେ ୨୧-୨୧ଟି ଶତକ ହାସଲ କରିଥିଲେ।
ଟ୍ରାଇ-ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତର ସ୍ଥିତି
ଭାରତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର ‘ଏ’ ଦଳକୁ ନେଇ ଏହି ଟ୍ରାଇ-ସିରିଜ୍ ଆୟୋଜନ କରାଯାଇଛି। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିବା ବିସ୍ଫୋରକ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ କିଛି ବିଶେଷ କମାଲ କରିପାରିନଥିଲେ ଏବଂ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅନ୍ୟପଟେ ତିଲକ ବର୍ମା ୬୦ ରନର ଏକ ଦାୟିତ୍ୱବାନ ଇନିଂସ ଖେଳିଥିବା ବେଳେ ପ୍ରିୟାଂଶ ଆର୍ଯ୍ୟ ୩2 ରନର ସହଯୋଗ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।
ଲିଷ୍ଟ-ଏ କ୍ରିକେଟ୍ରେ ସବୁଠାରୁ ଆଗରେ ସଚିନ ଓ ବିରାଟ
ସାଧାରଣତଃ ଯେଉଁ ଘରୋଇ କିମ୍ବା ଆନ୍ତର୍ଜାତୀୟ ମ୍ୟାଚ୍ ଗୁଡ଼ିକ ଗୋଟିଏ ଦିନରେ ଶେଷ ହୁଏ ଏବଂ ଯେଉଁଥିରେ ସର୍ବନିମ୍ନ ୪୦ ରୁ ୫୦ ଓଭର ବିଶିଷ୍ଟ ଖେଳ ହୋଇଥାଏ, ତାକୁ ଲିଷ୍ଟ-ଏ କ୍ରିକେଟ୍ କୁହାଯାଏ। ଭାରତ ପାଇଁ ଲିଷ୍ଟ-ଏ କ୍ରିକେଟ୍ରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ‘କ୍ରିକେଟର ଭଗବାନ’ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି, ଯିଏ ମୋଟ ୬୦ଟି ଶତକ ମାରିଛନ୍ତି। ଏହି ତାଲିକାରେ ୫୯ଟି ଶତକ ସହ ରନ୍ ମେସିନ୍ ବିରାଟ କୋହଲି ଦ୍ୱାରେ, ୩୭ଟି ଶତକ ସହ ରୋହିତ ଶର୍ମା ତୃତୀୟ ଏବଂ ୩୧ଟି ଶତକ ସହ ସୌରଭ ଗାଙ୍ଗୁଲି ଚତୁର୍ଥ ସ୍ଥାନରେ ରହିଛନ୍ତି।