ଦୁବାଇ: ବିଶ୍ୱ କ୍ରିକେଟରେ ଭାରତୀୟ କ୍ରିକେଟ ଦଳର ଦବଦବା ବଜାୟ। ଗୁରୁବାର ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ପୁରୁଷ ଦିନିକିଆ ମାନ୍ୟତାରେ ଟିମ୍ ଇଣ୍ଡିଆ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି। କେବଳ ଦିନିକିଆ ନୁହେଁ ଟି-୨୦ ଫର୍ମାଟରେ ମଧ୍ୟ ରୋହିତ ବାହିନୀ ବିଶ୍ୱର ନମ୍ବର-ୱାନ୍ ଟିମ୍ ଭାବେ ନିଜର ସ୍ଥାନ ବଜାୟ ରଖିଛି। ଅନ୍ୟପଟେ ସଦ୍ୟତମ ଦିନିକିଆ ମାନ୍ୟତାରେ ପାକିସ୍ତାନକୁ ବଡ଼ ଝଟ୍କା ଲାଗିଥିବା ବେଳେ ଦକ୍ଷିଣ ଆଫ୍ରିକା ଲମ୍ବ ଡିଆଁ ମାରିଛି।
ଦିନିକିଆରେ ଭାରତ ଶୀର୍ଷରେ
ଆଇସିସିର ସଦ୍ୟତମ ଦିନିକିଆ ମାନ୍ୟତା ଅନୁଯାୟୀ, ଭାରତୀୟ ଦଳ ୧୧୮ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଗତ ସଂସ୍କରଣ ତୁଳନାରେ ଭାରତର ରେଟିଂରେ ମାତ୍ର ୧ ପଏଣ୍ଟ ହ୍ରାସ ପାଇଛି। ଏହି ତାଲିକାରେ ନ୍ୟୁଜିଲାଣ୍ଡ ଦଳ ୧୧୩ ପଏଣ୍ଟ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ ୧୦୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ସୁରକ୍ଷିତ ରହିଛି।
ତେବେ ଟପ୍-୧୦ ତାଲିକାରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା (୧୦୨ ପଏଣ୍ଟ) ଚତୁର୍ଥ ସ୍ଥାନକୁ ଉଠିଥିବା ବେଳେ, ପାକିସ୍ତାନ ଦଳ ଗୋଟିଏ ସ୍ଥାନ ତଳକୁ ଖସି ୧୦୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।
ଦିନିକିଆର 'ଟପ୍ ୧୦' ଦଳ ଓ ସେମାନଙ୍କ ପଏଣ୍ଟ
୧. ଭାରତ - ୧୧ ପଏଣ୍ଟ
୨. ନ୍ୟୁଜିଲାଣ୍ଡ - ୧୧୩ ପଏଣ୍ଟ
୩. ଅଷ୍ଟ୍ରେଲିଆ - ୧୦୩ ପଏଣ୍ଟ
୪. ଦକ୍ଷିଣ ଆଫ୍ରିକା - ୧୦୨ ପଏଣ୍ଟ
୫. ପାକିସ୍ତାନ - ୧୦୦ ପଏଣ୍ଟ
୬. ଶ୍ରୀଲଙ୍କା - ୯୬ ପଏଣ୍ଟ
୭. ଆଫଗାନିସ୍ତାନ - ୯୩ ପଏଣ୍ଟ
୮. ଇଂଲଣ୍ଡ - ୮୯ ପଏଣ୍ଟ
୯. ବାଂଲାଦେଶ - ୮୬ ପଏଣ୍ଟ
୧୦. ୱେଷ୍ଟଇଣ୍ଡିଜ୍ - ୭୩ ପଏଣ୍ଟ
ଟି-୨୦ ଫର୍ମାଟରେ ଭାରତୀୟ ଦଳ ୨୭୫ ରେଟିଂ ପଏଣ୍ଟ ସହ ବିଶ୍ୱର ଏକ ନମ୍ବର ଦଳ ହୋଇ ରହିଛି। ଏହି ତାଲିକାରେ ଇଂଲଣ୍ଡ (୨୬୨) ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୨୫୮) ତୃତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟ କ୍ରିକେଟରେ କିନ୍ତୁ ଭାରତୀୟ ଦଳକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତ ଖାତାରେ ୧୦୪ ପଏଣ୍ଟ ରହିଛି। ଏହି ଫର୍ମାଟରେ ଅଷ୍ଟ୍ରେଲିଆ ୧୩୧ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି।