ଭୁବନେଶ୍ୱର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଚନ୍ଦ୍ରିକାଙ୍କ ତଥାକଥିତ ଓଏଏସ୍ ପ୍ରେମିକ ଭୀମସେନ ଟୁଡୁ ଗିରଫ ହୋଇଛନ୍ତି । ମୟୁରଭଞ୍ଜରୁ ଶୁକ୍ରବାର କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି ।
କଟକ ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ମିଳିଥିଲା । ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ମାଆ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।
ଚନ୍ଦ୍ରିକା ଏବଂ ଭୀମସେନଙ୍କ ମଧ୍ୟରେ ଦୀର୍ଘ ୧୫ ବର୍ଷର ପ୍ରେମ ସମ୍ପର୍କ ଥିଲା । ମାତ୍ର କିଛି ଦିନ ପରେ ଭୀମସେନଙ୍କ ଚନ୍ଦ୍ରିକାଙ୍କ ଉପରୁ ମନ ଉଠିଯାଇଥିଲା । ସେ ତାଙ୍କ ରୂପ ରଙ୍ଗକୁ ନେଇ ଅନେକ କଥା କହୁଥିଲେ । ସେଥିପାଇଁ ଚନ୍ଦ୍ରିକା ଗୋର ହେବା ପାଇଁ ମଧ୍ୟ ଚିକିତ୍ସା କରାଉଥିଲେ । ଚନ୍ଦ୍ରିକା ଗୋରା ନ ହେବାରୁ ଭୀମସେନ ଆଉ ବାହା ହେବାକୁ ରାଜି ହୋଇନଥିଲେ । ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଛି। ଏହାରି ମଧ୍ୟରେ ଭୀମସେନ ଆଉ ଏକ ଝିଅ ପ୍ରତି ଆକର୍ଷିତ ହୋଇଥିଲେ । ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ଵିତୀୟ ଯୁବତୀ ଆସିବା ପରେ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ ବୋଲି ପରିବାର ଅଭିଯୋଗ କରିଛି ।