ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡୀ କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କୁ ବଡ଼ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ କରିଛନ୍ତି ।
ଏହା ଦ୍ୱାରା ରାଜ୍ୟର ୭୨,୨୨୪ ଅଙ୍ଗନବାଡ଼ୀ କର୍ମୀ, ୨୮୦୨ ଲେଡି ସୁପରଭାଇଜର ଓ ୩୩୮ ବ୍ଲକ୍ ସଂଯୋଜକଙ୍କୁ ଏହି ଫୋନ ପ୍ରଦାନ କରାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଉପଲବ୍ଧି ଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହିତ ବୁଲି ଦେଖିଥିଲେ ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ନେତୃତ୍ୱ ନେବାରେ ସକ୍ଷମ କରିବା ଲକ୍ଷ୍ୟରେ ଆମ ସରକାର ପ୍ରତିବଦ୍ଧତାର ସହ କାମ କରୁଛି । ସମସ୍ତଙ୍କୁ ରଜ’ର ଅଗ୍ରୀମ ଶୁଭେଚ୍ଛା ଜଣାଇ ସେ କହିଥିଲେ ଯେ, ପୂର୍ବରୁ ସୁଭଦ୍ରା ଦିଆଯାଇଥିଲା, ଆଜି ଅନ୍ନପୂର୍ଣ୍ଣା । ଯେଉଁ ଘରେ ମା ସୁଭଦ୍ରା ଓ ମା ଅନ୍ନପୂର୍ଣ୍ଣା ରହିବେ ସେ ଘରର ସମୃଦ୍ଧି ଓ ଉନ୍ନତି ନିଶ୍ଚୟ ହେବ ।
ଏହି ବର୍ଷ ପୂର୍ତ୍ତି ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ । ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।