ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଚୟ ଶୀତଳ ଷଷ୍ଠୀ ପାଇଁ ସଜେଇ ହୋଇଛି ସମ୍ବଲପୁର ସହର। ଜୁନ୍ ୧୪ରୁ ଆରମ୍ଭ ହେଉଥିବା ଏହି ଐତିହାସିକ ମହୋତ୍ସବରେ ଚଳିତ ବର୍ଷ ୭,୫୦୦ରୁ ଅଧିକ କଳାକାର ସାମିଲ ହେବେ। ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଦିବ୍ୟ ବିବାହକୁ ନେଇ ପାଳିତ ଏହି ଉତ୍ସବ ପାଇଁ ସହରରେ ଏବେଠାରୁ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।
ଜୁନ୍ ୧୪ରେ ପାରମ୍ପରିକ ‘ପତରପେଣ୍ଡି’ ନୀତି ସହ ଆରମ୍ଭ ହେବ ଉତ୍ସବ। ଜୁନ୍ ୧୮ ରାତିରେ ଅନୁଷ୍ଠିତ ହେବ ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ। ଏହାପରେ ଜୁନ୍ ୧୯ ଓ ୨୦ରେ ବାହାରିବ ଭବ୍ୟ ଶୋଭାଯାତ୍ରା, ଯାହା ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।
ଶୀତଳ ଷଷ୍ଠୀର ସବୁଠାରୁ ବଡ଼ ଆୟୋଜକ ନନ୍ଦପଡ଼ା କମିଟି ଏଥର ୯୦ ଲକ୍ଷ ଟଙ୍କାର ବଜେଟ୍ ରଖିଥିବା ବେଳେ ପ୍ରାୟ ୨ ହଜାର କଳାକାର ଶୋଭାଯାତ୍ରାରେ ସାମିଲ ହେବେ। କେରଳ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ମଧ୍ୟ କଳାକାର ଦଳ ଆସୁଛନ୍ତି।
ଝାଡୁଆପଡ଼ା କମିଟି ପକ୍ଷରୁ ୨,୭୦୦ କଳାକାରଙ୍କ ସହ ମହାକାଳ ଥିମ୍, ନୃସିଂହ ଅବତାର ଓ ପୌରାଣିକ ଝାଙ୍କି ମୁଖ୍ୟ ଆକର୍ଷଣ ହେବ। ସେହିପରି ମୋଦିପଡ଼ା କମିଟି ୨,୮୦୦ରୁ ଅଧିକ କଳାକାରଙ୍କ ସହ ‘ସେଭ୍ ଟ୍ରି’ ବାର୍ତ୍ତା ଦେଇ ପରିବେଶ ସୁରକ୍ଷାର ସନ୍ଦେଶ ପ୍ରଦାନ କରିବ।
ଚଳିତ ବର୍ଷ ତିନୋଟି ପ୍ରମୁଖ କମିଟିର ମୋଟ ବଜେଟ୍ ପ୍ରାୟ ୨.୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହ ଓଡ଼ିଶା ସରକାର ୨୧ଟି ଶୀତଳ ଷଷ୍ଠୀ କମିଟି ପାଇଁ ୧.୦୮ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଧାର୍ମିକ ପରମ୍ପରା, ଲୋକକଳା ଓ ସାଂସ୍କୃତିକ ଐତିହ୍ୟର ଅଦ୍ଭୁତ ସମନ୍ୱୟ ସହ ଏଥରର ଶୀତଳ ଷଷ୍ଠୀ ମହୋତ୍ସବ ସମ୍ବଲପୁରକୁ ପୁଣିଥରେ ଉତ୍ସବର ରାଜଧାନୀରେ ପରିଣତ କରିବାକୁ ଯାଉଛି।