ଭୁବନେଶ୍ୱର: ଆଜି ସଜବାଜ, କାଲି ପହିଲି ରଜ। ରଜ ପାଇଁ ଏବେ ସାରା ଓଡ଼ିଶା ଉତ୍ସବମୁଖର। ଘରେ ଘରେ ପିଠାପଣାର ମହକ, ଗାଁ ଗାଁରେ ଦୋଳିର ଝୁଲା ଓ ଯୁବତୀଙ୍କ ହାତରେ ମେହେନ୍ଦିର ରଙ୍ଗ ସବୁଠି ଖାଲି ରଜର ରଙ୍ଗ ଓ ଉତ୍ସାହ।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଅଳତି ଓ ବେଲସୁନ୍ଦରୀ ଗାଁରେ ଏବେ ଢିଙ୍କିଶାଳରେ ଜମିଛି ମହିଳାମାନଙ୍କ ଭିଡ଼। କିଏ ଢିଙ୍କି କୁଟୁଛି, ତ କିଏ ଚୂନା ଚଳାଉଛି। ଆରିସା, କାକରା, ମଣ୍ଡା, ପୋଡ଼ପିଠା ଭଳି ପାରମ୍ପରିକ ପିଠା ପ୍ରସ୍ତୁତିରେ ବ୍ୟସ୍ତ ସମସ୍ତେ। କେବଳ ଏହି ଦୁଇ ଗାଁ ନୁହେଁ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାମୂହିକ ଭାବେ ରଜ ପାଳନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।
ସେପଟେ ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡରେ ମଧ୍ୟ ରଜର ମହକ ସ୍ପଷ୍ଟ ଭାବେ ଅନୁଭବ ହେଉଛି। ଘରେ ଘରେ ପିଠାପଣା ତିଆରି ସରିଥିବା ବେଳେ ଗାଁ ଗାଁରେ ରଜ ଦୋଳି ମଧ୍ୟ ପ୍ରସ୍ତୁତ ହୋଇଛି। ଯୁବତୀ ଓ ମହିଳାମାନେ ମେହେନ୍ଦି ଓ ଅଳତାରେ ସଜେଇ ହୋଇ ରଜର ଆନନ୍ଦକୁ ଦ୍ୱିଗୁଣିତ କରିଛନ୍ତି।
ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ପରମ୍ପରାର ଏକ ଅନନ୍ୟ ପରିଚୟ। ସଜବାଜରୁ ଆରମ୍ଭ ହୋଇ ପହିଲି ରଜ, ରଜ ସଂକ୍ରାନ୍ତି, ଭୂଦହ ଓ ଶେଷରେ ବସୁମତି ସ୍ନାନ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିଥାଏ ଏହି ଉତ୍ସବ। ନୃତ୍ୟ, ଗୀତ, ଭୋଜିଭାତ, ଦୋଳି ଓ ମିଳନର ଏହି ପର୍ବକୁ ନେଇ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଭରିଯାଇଛି ଅପାର ଉତ୍ସାହ।