ବଲାଙ୍ଗିର: ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଆଜି ମଧ୍ୟ ଓଡ଼ିଶାର କିଛି ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର ଅତ୍ୟନ୍ତ ଦୁଃଖଦ। ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ କୌଶଲପଡ଼ା ଗାଁରୁ ଆସିଥିବା ଏକ ଘଟଣା ପୁଣିଥରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଓ ଯାତାୟାତ ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ସାମ୍ନାକୁ ଆଣିଛି।
ମଙ୍ଗଳବାର ଦିନ ପ୍ରସବ ବେଦନାରେ ଛଟପଟ ହେଉଥିଲେ ୨୦ ବର୍ଷୀୟା ସୀମା ଧରୁଆ। ଘୁନସର ପଞ୍ଚାୟତର ଚାଚରଭଟା ଗାଁର ବାସିନ୍ଦା ସୀମାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଆବଶ୍ୟକ ଥିଲା। କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ସ୍ୱାମୀ ରୋହିତ ଧରୁଆ ଓ ଜଣେ ପଡ଼ୋଶୀ ମିଶି ସୀମାଙ୍କୁ କାନ୍ଧରେ ବୋହି ଦୁଇ କିଲୋମିଟର ଦୂର ପର୍ଯ୍ୟନ୍ତ ନେଇଥିଲେ।
ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ମଧ୍ୟରେ ଦୀର୍ଘ ରାସ୍ତା ଅତିକ୍ରମ କରିବା ପରେ ସେମାନେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରେ ଆମ୍ବୁଲାନ୍ସ ଅପେକ୍ଷା କରିଥିଲା। ତୁରନ୍ତ ସୀମାଙ୍କୁ ଖପ୍ରାଖୋଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରସବ ହେଲେ ମଧ୍ୟ ନବଜାତ ଶିଶୁଟି କିଛି ସମୟ ପରେ ମୃତ୍ୟୁବରଣ କରିଥିଲା। ପରେ ସୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ପାଟଣାଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଉ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲେ ମଧ୍ୟ ସେ ମଧ୍ୟ କିଛି ଘଣ୍ଟା ପରେ ଆଖି ବୁଜିଦେଇଥିଲା।
ଏହି ହୃଦୟବିଦାରକ ଘଟଣା ପରେ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ରାସ୍ତା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ପ୍ରଶାସନକୁ ଜଣାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଗୋଟିଏ ରାସ୍ତାର ଅଭାବ କେମିତି ଗୋଟିଏ ପରିବାରର ସବୁଠୁ ବଡ଼ ଖୁସିକୁ ଶୋକରେ ପରିଣତ କରିଦିଏ, ବଲାଙ୍ଗିରର ଏହି ଘଟଣା ତାହାର ଏକ କରୁଣ ଉଦାହରଣ ପାଲଟିଛି।