ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ବିବାଦ। ଶ୍ରୀମନ୍ଦିର ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଅନଲାଇନ୍ରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଥର "ପୁଣ୍ୟଭାବନା" ନାମକ ଏକ ୱେବସାଇଟ୍ ମହାପ୍ରଭୁଙ୍କ ମହାପ୍ରସାଦକୁ ସିଧାସଳଖ ଭକ୍ତଙ୍କ ଘରେ ପହଞ୍ଚାଇବାକୁ ବିଜ୍ଞାପନ ଦେଇଥିବା ଘଟଣାକୁ ନେଇ ତେଜିଛି ବିବାଦ।
ୱେବସାଇଟ୍ରେ ପ୍ରକାଶିତ ପୋଷ୍ଟରରେ ଦାବି କରାଯାଇଛି, "Authentic Jagannath Puri Temple Mahaprasad Now At Your Doorstep"। ଅର୍ଥାତ୍ ୧୧୦୦ ଟଙ୍କା ପ୍ରଦାନ କଲେ କୋରିଅର ମାଧ୍ୟମରେ ମହାପ୍ରସାଦ ଭକ୍ତଙ୍କ ଘରେ ପହଞ୍ଚିଯିବ। ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଧାର୍ମିକ ମହଲରେ ଚର୍ଚ୍ଚା ଓ ଅସନ୍ତୋଷ ବଢ଼ିଛି।
ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ତଳେ "ବ୍ରଜମେଳା" ନାମକ ଅନ୍ୟ ଏକ ସଂସ୍ଥା ମଧ୍ୟ ଏଭଳି ଅନଲାଇନ୍ରେ ମହାପ୍ରସାଦ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲା। ଏବେ ପୁଣି ସମାନ ଘଟଣା ଘଟିବା ପରେ ସେବାୟତ ଓ ସନାତନ ଧର୍ମାବଲମ୍ବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ସେବାୟତ ମହଲର ଅଭିଯୋଗ, ମହାପ୍ରସାଦ କେବଳ ଏକ ଖାଦ୍ୟ ନୁହେଁ, ଏହା ଭକ୍ତି ଓ ପରମ୍ପରାର ପ୍ରତୀକ। ତେଣୁ ଏହାକୁ ବାଣିଜ୍ୟିକ ଭାବେ ଅନଲାଇନ୍ରେ ବିକ୍ରି କରିବା ଶ୍ରୀଜଗନ୍ନାଥ ସଂସ୍କୃତିର ବିରୋଧୀ ବୋଲି ସେମାନେ ମତ ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଅନଲାଇନ୍ ବିକ୍ରି ବିରୋଧରେ କେଉଁ ପଦକ୍ଷେପ ନେବେ? ମହାପ୍ରସାଦକୁ ନେଇ ଏହି ନୂଆ ବିବାଦ ଆଗାମୀ ଦିନରେ ଆହୁରି ଜୋର ଧରିବାର ସମ୍ଭାବନା ରହିଛି।