ଭୁବନେଶ୍ୱର: ସକାଳର ଆଲାର୍ମ ପୂର୍ବରୁ ଯାହାର ଅପେକ୍ଷା ଥାଏ..ଅଫିସର ଚାପ ଭିତରେ ଯିଏ ଦିଏ ଟିକେ ଆରାମ..ବନ୍ଧୁଙ୍କ ସହ ଗପସପ ହେଉ କି ପରିବାର ସହ କିଛି ମୁହୂର୍ତ୍ତ..ସବୁଠି ଥାଏ ଗୋଟିଏ ସାଧାରଣ ନାମ ତାହା ହେଉଛି କପେ ଗରମ ଚା’। ଗାଁର ଛକରୁ ସହରର କଫେ ପର୍ଯ୍ୟନ୍ତ, ରେଳ ଷ୍ଟେସନରୁ ଅଫିସ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ସବୁଠି ଚା’ର ମହକ ଲୋକଙ୍କୁ ଏକାଠି କରେ।
ସାରା ବିଶ୍ୱରେ ରହିଛି ଚା’ର ଚାହିଦା, ହେଲେ ଆମ ଭାରତୀୟଙ୍କ ସକାଳ ଚା’ ବିନା ଅଧୁରା। ମନର କ୍ଲାନ୍ତିକୁ ଦୂର କରି ଦେହ ଫୂର୍ତ୍ତି କରିବା ହେଉ ଅବା ପରିବାର ସହ ମିଶି କିଛି ସମୟ କଟାଇବା ପାଇଁ ହେଉ,ଏସବୁ କ୍ଷେତ୍ରରେ ଚା’ ହିଁ ହେଉଛି ସବୁଠାରୁ ପ୍ରିୟ ପାନୀୟ। ଏପରିକି ଏହା ବିଶ୍ୱର ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନର ଏହା ଏକ ଅଂଶ ପାଲଟିଛି କହିଲେ ଅଟୁକ୍ତି ହେବନି। ଦିନକୁ ଦିନ ଏହାର ଲୋକପ୍ରିୟତା ବି ବଢ଼ିବାରେ ଲାଗିଛି । କିଛି ଲୋକମାନଙ୍କର ସକାଳ ଆଉ ସଞ୍ଜରେ ଚା’ ଏକ ନିଶା କହିଲେ ଚଳେ।
ସବୁଠୁ ବଡ କଥା ହେଉଛି ପାଣି ପରେ ବିଶ୍ୱରେ ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ହେଉଛି ଚା’। ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ ସହ ବ୍ଲାକ୍ ଟି, ଗ୍ରୀନ୍ ଟି, ହର୍ବାଲ୍ ଟି ଓ ଲେମନ୍ ଟି ଭଳି ଅନେକ ପ୍ରକାରର ଚା’ ଏବେ ଲୋକପ୍ରିୟ ହେଉଛି। କୋଟି କୋଟି ଲୋକଙ୍କ ଜୀବନଶୈଳୀରେ ଚା ହେଉଛି ଏକ ଅବିଚ୍ଛେଦ୍ୟ ଅଂଶ। ଏହା କେବଳ ସ୍ୱାଦ ନୁହେଁ, ଅର୍ଥନୀତି, ରୋଜଗାରରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମେ’ ୨୧ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଚା’ ଦିବସ।
ପ୍ରଥମେ ୨୦୦୫ରେ ଡିସେମ୍ବର ୧୫ ତାରିଖରେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନ କରାଯାଇଥିଲା। କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା। ୨୦୧୯ ମସିହାର ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ। ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ, ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି। ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା' ଉତ୍ପାଦନକାରୀ ଦେଶ। ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ।
କୋଟି କୋଟି ଲୋକଙ୍କ ଜୀବିକା ସହ ଜଡ଼ିତ ଏହି ଶିଳ୍ପ କେବଳ ଅର୍ଥନୀତିକୁ ନୁହେଁ, ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବନକୁ ମଧ୍ୟ ସହାରା ଦେଇଆସୁଛି। ତେଣୁ ଆଜି ଯେତେବେଳେ ଆପଣ ହାତରେ କପେ ଚା’ ଧରିବେ, ସେତେବେଳେ ମନେ ରଖନ୍ତୁ ଏହା କେବଳ ଏକ ପାନୀୟ ନୁହେଁ, ବରଂ କୋଟି କୋଟି ଲୋକଙ୍କ ପରିଶ୍ରମ, ସଂସ୍କୃତି ଓ ଭାବନାର ଏକ ମିଠା ସ୍ୱାଦ।