ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଗତିବିଧିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦକ୍ଷିଣ କାଶ୍ମୀରର କୁଲଗାମରେ CRPF ଶିବିର ଉପରେ ଆକ୍ରମଣ ପରେ ସମଗ୍ର ଉପତ୍ୟକାରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। CRPF ମହାନିର୍ଦ୍ଦେଶକ ଜି.ପି. ସିଂହ ଶନିବାର ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରି ଅଧିକାରୀମାନଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
ଆତଙ୍କବାଦୀଙ୍କ ସହ ସେମାନଙ୍କୁ ସହଯୋଗ କରୁଥିବା ନେଟୱର୍କ ଉପରେ ମଧ୍ୟ ନଜର ରଖିବାକୁ ଡିଜି ଗୁରୁତ୍ୱ ଦେଇଛନ୍ତି। ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ, ତୁରନ୍ତ ସୂଚନା ଆଦାନପ୍ରଦାନ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସେ କହିଛନ୍ତି।
କୁଲଗାମ ଆକ୍ରମଣ ପରେ ସୁରକ୍ଷା ବାହିନୀ ଆଲର୍ଟ
ସୂଚନା ଅନୁସାରେ, ନଭେମ୍ବର ୧୧ରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଥିବା ଏକ CRPF ପୋଷ୍ଟ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ତିନି ଜଣ CRPF ଯବାନ ଆହତ ହୋଇଥିଲେ। ଘଟଣା ପରଠାରୁ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଛି। ଏହି ଘଟଣାର ତିନି ଦିନ ପରେ ଶ୍ରୀନଗରସ୍ଥିତ CRPF ଗ୍ରୁପ୍ ସେଣ୍ଟରରେ ସୁରକ୍ଷା ସମୀକ୍ଷା ବୈଠକ ବସିଥିଲା। ଏଥିରେ ବରିଷ୍ଠ ଅଧିକାରୀ ଓ ଉପତ୍ୟକାର ବିଭିନ୍ନ ସୁରକ୍ଷା ୟୁନିଟ୍ର କମାଣ୍ଡରମାନେ ଯୋଗ ଦେଇଥିଲେ।
୫୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ପଚରାଉଚରା
କୁଲଗାମ ଆକ୍ରମଣ ପରେ ତଦନ୍ତକୁ ଆହୁରି ଜୋରଦାର କରିଛି ପୋଲିସ। ରିପୋର୍ଟ ଅନୁସାରେ, ଗତ ତିନି ଦିନ ମଧ୍ୟରେ ୫୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଆକ୍ରମଣ ପଛରେ କେଉଁ ନେଟୱର୍କ କାମ କରୁଛି ଏବଂ ଆତଙ୍କବାଦୀଙ୍କୁ କେଉଁମାନେ ସହାୟତା ଯୋଗାଉଛନ୍ତି, ତାହା ଜାଣିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି।
ଏହା ସହ ଆତଙ୍କବାଦୀ ଲତିଫ ଅହମଦ ଭଟ୍ଟଙ୍କ ସମ୍ଭାବ୍ୟ ଭୂମିକାକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ସେ ବିଦେଶୀ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ କୌଣସି ଗୋଷ୍ଠୀ ସହ ଯୋଡ଼ି ହୋଇଛନ୍ତି କିମ୍ବା ସ୍ଥାନୀୟ ଯୁବକଙ୍କୁ ସାମିଲ କରି ନୂଆ ନେଟୱର୍କ ଗଠନ କରିଛନ୍ତି କି ନାହିଁ, ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ କରୁଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍କର୍ଷ ସାମ୍ନାକୁ ଆସିନାହିଁ।