ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି। ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ସତର୍କ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶୁକ୍ରବାର ନଭେମ୍ବର ୧୩ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସଚିବାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଷ୍ଟଗାର୍ଡ, ନୌସେନା ଏବଂ ରାଜ୍ୟ ସାମୁଦ୍ରିକ ପୋଲିସକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କହିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରୁଥିବା ଡଙ୍ଗାଗୁଡ଼ିକର ଅବସ୍ଥିତି ଜାଣିବା ପାଇଁ ଆଧୁନିକ ଟ୍ରାକିଂ ବ୍ୟବସ୍ଥା ଲାଗୁ କରିବା ସହ ଯୋଗାଯୋଗ ଉପକରଣକୁ ଅପଗ୍ରେଡ୍ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସମୁଦ୍ରକୁ ଯାଉଥିବା ଡଙ୍ଗା ଓ ଇଞ୍ଜିନଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ଏବଂ ସାମୁଦ୍ରିକ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟାରେ ପରିଣତ ହୋଇପାରେ ଲଘୁଚାପ
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହୋଇ ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଶୁକ୍ରବାର ଓ ଶନିବାର ମନ୍ନାର ଉପସାଗର ଏବଂ କୋମୋରିନ୍ ଅଞ୍ଚଳରେ ଜୋର୍ରେ ପବନ ବହିବା ନେଇ ସତର୍କ କରାଯାଇଛି।
ପାଣିପାଗ ବିଭାଗର ସତର୍କ ସୂଚନା ପରେ ତାମିଲନାଡୁ ମତ୍ସ୍ୟ ବିଭାଗ ତୁତିକୋରିନ୍ ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କହିଛି। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ମଧ୍ୟ ଅପିଲ୍ କରାଯାଇଛି।
ସମୁଦ୍ର କୂଳରେ ଅଟକିଲା ହଜାର ହଜାର ଡଙ୍ଗା
ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ତୁତିକୋରିନ୍ ଜିଲ୍ଲାର ଉପକୂଳ ଅଞ୍ଚଳରେ ମାଛ ଧରିବା କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯାଇଛି। ଭେମ୍ବାରରୁ ପେରିୟାଥାଝାଇ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଉନାହାନ୍ତି। ମତ୍ସ୍ୟ ବିଭାଗର ତଥ୍ୟ ଅନୁସାରେ, ୨୭୦ରୁ ଅଧିକ ମୋଟର ଚାଳିତ ଡଙ୍ଗା, ୨ ହଜାର ପାରମ୍ପରିକ ଡଙ୍ଗା ଏବଂ ୫ ହଜାର ଫାଇବର ଡଙ୍ଗା ମାଛଧରା ବନ୍ଦର ଓ ସମୁଦ୍ର କୂଳରେ ରଖାଯାଇଛି।
ଏହାର ପ୍ରଭାବରେ ପ୍ରାୟ ୫୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହୋଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଦ୍ଧାରକାରୀ ଦଳକୁ ମଧ୍ୟ ସଜାଗ ରଖାଯାଇଛି।