ବେଜିଂ: ବିଶ୍ୱ ରାଜନୀତିରେ ଆସିପାରେ ଏକ ବଡ଼ ପରିବର୍ତ୍ତନ! ଚୀନ୍ରେ ଏକାଠି ହୋଇପାରନ୍ତି ଆମେରିକା, ରୁଷିଆ ଓ ଚୀନ୍ର ତିନି ଶକ୍ତିଶାଳୀ ନେତା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମ୍ଭାବ୍ୟ ସାକ୍ଷାତକୁ ନେଇ ଅନ୍ତର୍ଜାତୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ବୈଠକରେ ୟୁକ୍ରେନ୍ ଯୁଦ୍ଧ, ଇରାନ୍ର ସ୍ଥିତି, ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଓ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇପାରେ।
ଏହି ସମ୍ଭାବ୍ୟ ବୈଠକକୁ ନେଇ ୧୯୪୫ ମସିହାର ଐତିହାସିକ 'ୟାଲ୍ଟା ସମ୍ମିଳନୀ' ପୁଣି ଚର୍ଚ୍ଚାକୁ ଆସିଛି। ଆଶଙ୍କା କରାଯାଉଛି ଯେ ବିଶ୍ୱର ତିନି ପ୍ରମୁଖ ଶକ୍ତି ଯଦି ଏକାଠି ହୋଇ ବଡ଼ ନିଷ୍ପତ୍ତି ନିଅନ୍ତି, ତେବେ ଅନ୍ୟ ଦେଶଗୁଡ଼ିକର ସ୍ୱାର୍ଥ ପ୍ରଭାବିତ ହୋଇପାରେ।
କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ବୈଠକ ?
ଏସିଆ ପ୍ୟାସିଫିକ୍ ଇକୋନୋମିକ୍ କୋଅପରେସନ୍ (APEC) ଫୋରମ୍ର ବୈଠକ ଚୀନ୍ର ଶେନ୍ଜେନ୍ରେ ହେବାକୁ ଥିବା ନେଇ ଖବର ଆସିଛି। ଏହି ଅବସରରେ ତିନି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ସମ୍ଭାବନାକୁ ନେଇ ଆଲୋଚନା ଚାଲିଛି। ରଏଟର୍ସ ରିପୋର୍ଟ ଅନୁସାରେ, ପ୍ରସ୍ତାବିତ ବୈଠକର ଏଜେଣ୍ଡା ଓ ଆଲୋଚନାର ରୂପରେଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ତଥାପି ବିଶ୍ୱର ବିଭିନ୍ନ ସଙ୍କଟ ଉପରେ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶେଷକରି ୟୁକ୍ରେନ୍ ଓ ଇରାନ୍ରେ ଜାରି ଯୁଦ୍ଧ ପରିସ୍ଥିତି, ପରମାଣୁ ଅସ୍ତ୍ରର ନିୟନ୍ତ୍ରଣ ଏବଂ AI କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆଲୋଚନାର ପ୍ରମୁଖ ବିଷୟ ହୋଇପାରେ।
କ'ଣ ଥିଲା ୧୯୪୫ର ୟାଲ୍ଟା ସମ୍ମିଳନୀ ?
ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ୧୯୪୫ ମସିହାରେ କ୍ରିମିଆର ୟାଲ୍ଟା ସହରରେ ଏକ ଐତିହାସିକ ବୈଠକ ହୋଇଥିଲା। ଏଥିରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜଭେଲ୍ଟ, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ୍ ଚର୍ଚ୍ଚିଲ୍ ଏବଂ ସୋଭିଏତ୍ ସଂଘର ନେତା ଜୋସେଫ୍ ଷ୍ଟାଲିନ୍ ଯୋଗ ଦେଇଥିଲେ। ଯୁଦ୍ଧ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା କିପରି ହେବ, ୟୁରୋପର ଭବିଷ୍ୟତ କ'ଣ ରହିବ ଏବଂ ବିଭିନ୍ନ ଅଞ୍ଚଳରେ କାହାର ପ୍ରଭାବ ରହିବ, ସେନେଇ ଏହି ତିନି ନେତା ଆଲୋଚନା କରିଥିଲେ।
ଏହି ସମ୍ମିଳନୀ ପରବର୍ତ୍ତୀ ବିଶ୍ୱ ରାଜନୈତିକ ବ୍ୟବସ୍ଥା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। କିନ୍ତୁ ଏହା ସହ ଏକ ଚର୍ଚ୍ଚିତ ଧାରଣା ମଧ୍ୟ ଯୋଡ଼ି ହୋଇଛି ଯେ ବଡ଼ ଶକ୍ତିମାନେ ଏକାଠି ହୋଇ ଛୋଟ ଦେଶଗୁଡ଼ିକର ଭବିଷ୍ୟତ ନିର୍ଦ୍ଧାରଣ କରିପାରନ୍ତି।
କାହିଁକି ହେଉଛି 'ୟାଲ୍ଟା-୨'ର ଚର୍ଚ୍ଚା ?
ଟ୍ରମ୍ପ, ପୁଟିନ୍ ଓ ଜିନପିଙ୍ଗଙ୍କ ସମ୍ଭାବ୍ୟ ବୈଠକକୁ ନେଇ ୟାଲ୍ଟା ସମ୍ମିଳନୀର ଉଦାହରଣ ଦିଆଯାଉଛି। ଏହାର ମୁଖ୍ୟ କାରଣ ହେଉଛି, ୟୁକ୍ରେନ୍ ଭଳି ଦେଶର ଭବିଷ୍ୟତ ସମ୍ପର୍କରେ ସେମାନଙ୍କ ଅନୁପସ୍ଥିତିରେ କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ମଧ୍ୟ ଏଭଳି ସମ୍ଭାବନାକୁ ନେଇ ଚିନ୍ତା ପ୍ରକାଶ କରିଥିବା ରିପୋର୍ଟ ରହିଛି। ତାଙ୍କ ଆଶଙ୍କା ହେଉଛି, ଯଦି ବିଶ୍ୱର ବଡ଼ ଶକ୍ତିମାନେ ଏକାଠି ହୋଇ ପ୍ରଭାବ କ୍ଷେତ୍ରର ପୁନଃବଣ୍ଟନ କରନ୍ତି, ତେବେ ଏହା ୟୁକ୍ରେନ୍ ସମେତ ଅନ୍ୟ ଦେଶଗୁଡ଼ିକର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ପ୍ରଭାବିତ କରିପାରେ।