ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ମସ୍ତୁଙ୍ଗ ଜିଲ୍ଲାରେ ଏକ ସାମରିକ ଘାଟି ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଅତିକମରେ ୧୮ ଜଣ ପାକିସ୍ତାନୀ ସେନା ଯବାନ ନିହତ ହୋଇଛନ୍ତି। ବେଲୁଚ୍ ଲିବରେସନ୍ ଆର୍ମି (BLA) ଏକ ଭିଡିଓ ବାର୍ତ୍ତାରେ କହିଛି ଯେ ତାହାର ‘ମଜିଦ୍ ବ୍ରିଗେଡ୍’ କନ୍ଦୱା ଅଞ୍ଚଳରେ ଗାଡ଼ିରେ ଖଞ୍ଜାଯାଇଥିବା ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (VBIED) ବ୍ୟବହାର କରି ଏହି ଆକ୍ରମଣ କରିଛି, ଯେଉଁଥିରେ ମିଲିଟାରୀ କ୍ୟାମ୍ପ୍ ଏବଂ ଆଖପାଖର ସିକ୍ୟୁରିଟି ଚେକ୍ପଏଣ୍ଟ ଧ୍ୱଂସ ହୋଇଯାଇଛି। ଏହି ବିସ୍ଫୋରଣରେ ଅନ୍ୟ ଅନେକ ଯବାନ ଆହତ ହୋଇଥିବା ମଧ୍ୟ ସଂଗଠନ ଦାବି କରିଛି। ଗୁରୁବାର ଦିନ ଏହି ଆକ୍ରମଣ ଘଟିଛି।
BLA ମୁତାବକ, ବିସ୍ଫୋରଣ ପରେ ତାହାର ‘ଫତେହ ସ୍କ୍ୱାଡ୍’ର ସଦସ୍ୟମାନେ କ୍ୟାମ୍ପ୍ ଭିତରକୁ ପଶିଯାଇଥିଲେ ଏବଂ ବିସ୍ଫୋରଣରୁ ବର୍ତ୍ତିଯାଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏକ ସମନ୍ୱିତ ଅପରେସନ୍ ଅଧୀନରେ ନିକଟସ୍ଥ ଏକ ସୁରକ୍ଷା ପୋଷ୍ଟକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ସଂଗଠନ ଦାବି କରିଛି।
BLA ନେଲା ଆକ୍ରମଣର ଉତ୍ତରଦାୟିତ୍ୱ
ସଂଗଠନ ପକ୍ଷରୁ ଆତ୍ମଘାତୀ ଆକ୍ରମଣକାରୀଙ୍କ ପରିଚୟ ମସ୍ତୁଙ୍ଗର ଖଡ଼କୋଚା ନିବାସୀ ଉସାମା ଶାହୱାନୀ ଓରଫ୍ ୱଦୁଦ୍ ଭାବେ ଦିଆଯାଇଛି। ସଂଗଠନ କହିଛି ଯେ ଶାହୱାନୀ ୨୦୨୨ ରେ BLA ରେ ସାମିଲ ହୋଇଥିଲା ଏବଂ ୨୦୨୪ ରେ ମଜିଦ୍ ବ୍ରିଗେଡ୍ର ସଦସ୍ୟ ହୋଇଥିଲା।
BLA ଆହୁରି ଦାବି କରିଛି ଯେ ଶାହୱାନୀ କଲାତ୍, ନାଗାହୋ ଏବଂ ଶୁର୍ ପରୋଦ୍ରେ ଅନେକ ଅପରେସନ୍ରେ ଅଂଶଗ୍ରହଣ କରିଥିଲା। ନୁସ୍କିରେ ହୋଇଥିବା ତାହାର ତଥାକଥିତ ‘ଅପରେସନ୍ ହେରୋଫ୍ II’ ସମୟରେ ମଧ୍ୟ ସେ ତିନି ଦିନ ଧରି ଲଢ଼େଇ କରିଥିଲା ବୋଲି କୁହାଯାଇଛି।
ବେଲୁଚିସ୍ତାନରେ ଲଗାତାର ଜାରି ରହିଛି ହିଂସା
ସଂଗଠନ ଏହି ବୟାନ ମାଧ୍ୟମରେ ବେଲୁଚିସ୍ତାନରେ ଚାଲିଥିବା ଖଣିଜ ଅନୁସନ୍ଧାନ ଏବଂ ନିବେଶ ପ୍ରକଳ୍ପଗୁଡ଼ିକ ପ୍ରତି ନିଜର ବିରୋଧକୁ ଦୋହରାଇଛି। ଏଥିସହ ଏପରି କାର୍ଯ୍ୟରେ ସାମିଲ ଥିବା ବିଦେଶୀ କମ୍ପାନୀ ଏବଂ ନିବେଶକମାନଙ୍କୁ ଧମକ ଦେଇଛି।
ଏହା ବିଶେଷ ଭାବେ ‘ପାକିସ୍ତାନ ମିନେରାଲ୍ସ ଇନ୍ଭେଷ୍ଟମେଣ୍ଟ ଫୋରମ୍ ୨୦୨୬’ କୁ ନିଶାନା କରି ଅଭିଯୋଗ ଆଣିଛି ଯେ ପ୍ରଦେଶରେ ଖଣିଜ ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏହାର ପ୍ରାକୃତିକ ସମ୍ପଦର ଶୋଷଣ କରିବା। ସଂଗଠନ ଚେତାବନୀ ଦେଇଛି ଯେ ଏହି ପ୍ରକଳ୍ପଗୁଡ଼ିକରେ ଅଂଶଗ୍ରହଣ କରୁଥିବା କମ୍ପାନୀ ଏବଂ ନିବେଶକଙ୍କ ଉପରେ ଆକ୍ରମଣ ହୋଇପାରେ। BLA କହିଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନୀ ସୁରକ୍ଷା ବାହିନୀ ବେଲୁଚିସ୍ତାନରୁ ହଟିନାହାନ୍ତି ଏବଂ ଏହି ଅଞ୍ଚଳ ସ୍ୱାଧୀନ ହୋଇନାହିଁ, ସେପର୍ଯ୍ୟନ୍ତ ତାହାର ସଶସ୍ତ୍ର ଅଭିଯାନ ଜାରି ରହିବ।