ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ସେନା ମଧ୍ୟରେ ଏକ ବଡ଼ ଡିଲ୍ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଡିଲ୍ ଅନୁଯାୟୀ, ଇମ୍ରାନଙ୍କ ଦୁଇ ଭଉଣୀଙ୍କୁ ଜେଲରୁ ମୁକ୍ତ କରାଯାଇଥିବାବେଳେ ତୃତୀୟ ଭଉଣୀଙ୍କୁ ମଧ୍ୟ ଖୁବଶୀଘ୍ର ଛାଡ଼ିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ସୂଚନାଯୋଗ୍ୟ ଯେ, ବୁଶ୍ରା ବିବିଙ୍କୁ ଇମ୍ରାନ ଖାନଙ୍କ ସହିତ ୨୦୨୩ ମସିହାରେ ଗିରଫ କରାଯାଇଥିଲା।
ଜିଓ ଟିଭି ଉର୍ଦ୍ଧୁ ଅନୁଯାୟୀ, ଇମ୍ରାନ ଖାନଙ୍କ ପକ୍ଷରୁ ଏହି ଡିଲ୍କୁ ପିଟିଆଇ (PTI) ଅଧ୍ୟକ୍ଷ ବାରିଷ୍ଟର ଗୌହର ପରିଚାଳନା କରୁଛନ୍ତି। ଏହି ସମ୍ବନ୍ଧରେ ଦୁଇ ଦିନ ପୂର୍ବେ ଗୌହର ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିଲେ। ଗୁରୁବାର ଦିନ ମଧ୍ୟ ଦୁଇଜଣ ଆଇନଜୀବୀ ଇମ୍ରାନଙ୍କୁ ଭେଟିଛନ୍ତି।
ସେପ୍ଟେମ୍ବରରେ ଗିରଫ ହୋଇଥିଲେ ତିନି ଭଉଣୀ
ସେପ୍ଟେମ୍ବର ୨୦୨୬ରେ ଇସଲାମାବାଦ ମାର୍ଚ୍ଚ ସମୟରେ ଇମ୍ରାନ ଖାନଙ୍କ ତିନି ଭଉଣୀଙ୍କୁ ଗିରଫ କରାଯାଇଥିଲା। ତିନିଜଣଙ୍କ ବିରୋଧରେ ପ୍ରିଭେଣ୍ଟିଭ୍ ଡିଟେନସନ ଆଇନ ଅଧୀନରେ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଡିଲ୍ ପରେ ସରକାର ମାମଲା ପ୍ରତ୍ୟାହାର କରିନେଇଛନ୍ତି। ଏହାପରେ ଦୁଇ ଭଉଣୀ ମୁକ୍ତ ହୋଇଥିବାବେଳେ ତୃତୀୟ ଭଉଣୀଙ୍କ ମୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି।
ଏହା ସହିତ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଇସଲାମାବାଦର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ। ଗତ କିଛି ଦିନ ପୂର୍ବେ ଇମ୍ରାନ ଖାନ୍ ଏହାର ଦାୟିତ୍ୱ ବାରିଷ୍ଟର ଗୌହରଙ୍କୁ ପ୍ରଦାନ କରିଥିଲେ।
ଖୈବର ମାମଲା କୋର୍ଟରେ, ଇମ୍ରାନଙ୍କୁ ମୁକ୍ତ କରିବାକୁ ମଧ୍ୟ ପ୍ରୟାସ
ଅନ୍ୟପକ୍ଷରେ, ପିଟିଆଇ (PTI) ଖୈବରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ନିଷ୍ପତ୍ତି ବିରୋଧରେ ସାମ୍ବିଧାନିକ କୋର୍ଟର ଦ୍ୱାରସ୍ଥ ହୋଇଛି। ପିଟିଆଇର କହିବା କଥା ଯେ, ଖୈବରରେ ନିର୍ବାଚିତ ସରକାରଙ୍କୁ ବଳପୂର୍ବକ ହଟାଇ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ପାକିସ୍ତାନ ସରକାର ଖୈବରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସେଠାକାର ସରକାରଙ୍କୁ ବରଖାସ୍ତ କରିଥିଲେ।
ସେହିପରି ଦଳ ନିଜର ସୁପ୍ରିମୋ ଲିଡର ଇମ୍ରାନ ଖାନଙ୍କୁ ମଧ୍ୟ ଜେଲରୁ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଇମ୍ରାନ ଖାନ୍ ୨୦୨୩ ମସିହାରୁ ପାକିସ୍ତାନ ଜେଲରେ ବନ୍ଦ ଅଛନ୍ତି।