ମୟୂରଭଞ୍ଜ : ଆସନ୍ତାକାଲି (ନଭେମ୍ବର ୧୩ ତାରିଖ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ । ବେତନଟୀ ବ୍ଲକ ଅନ୍ତର୍ଗତ ଆଗୁଆଡ଼ ଠାରେ ମହନ୍ତ କମ୍ୟୁନିଟି କୁଡମି ସମାଜର ଆୟୋଜିତ ଜାତୀୟ ବାନ୍ଦଣା ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଓ କଡ଼ାକଡ଼ି ବନ୍ଦୋବସ୍ତ କରାଯାଇଛି।
ଏନେଇ ସୂଚନା ଦେଇ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାଏତ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାୟରଙ୍ଗପୁର ପୋଲିସ ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାରୁ ଅତିରିକ୍ତ ଫୋର୍ସ ଓ ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ମୋଟ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୭ ଜଣ ଡି.ଏସ୍.ପି , ୧୬ ଜଣ ଇନ୍ସପେକ୍ଟର, ଏବଂ ବହୁ ସଂଖ୍ୟାରେ ଏସ୍.ଆଇ (SI) ଓ ଏସ୍.ଆଇ (ASI) କର୍ମଚାରୀ ଦାୟିତ୍ୱରେ ରହିଛନ୍ତି। ୧୬୪ ଜଣ ହୋମଗାର୍ଡ ଏବଂ ୭୫ ଜଣ ଟ୍ରାଫିକ୍ କନ୍ଷ୍ଟେବଳ ଟ୍ରାଫିକ୍ ଓ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ସଭାସ୍ଥଳ ଓ ସମାବେଶକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଏବଂ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ଅତିରିକ୍ତ ଏସ୍.ପି ସୂଚନା ଦେଇଛନ୍ତି।