ମହାସମୁନ୍ଦ: ହସ୍ପିଟାଲରୁ ଚିକିତ୍ସା ସାରି ହସଖୁସିରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବାଗବାହାରା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।
ମୃତକ ଦୁଇଜଣ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଟୁର୍ଲା ଗାଁର ବସନ୍ତା ପ୍ରଧାନ (୬୦) ଏବଂ ଆଗଲପୁର ଥାନା ଅନ୍ତର୍ଗତ ଉଚ୍ଚବାହାଲ ଗାଁର ଉତ୍ତରା ଦୋରା (୬୦)। ଏହି ଘଟଣା ଦୁଇ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି।
ଚିକିତ୍ସା ପରେ ଘରକୁ ଫେରୁଥିଲେ
ସୂଚନା ଅନୁସାରେ, ବସନ୍ତା ପ୍ରଧାନ ଓ ଉତ୍ତରା ଦୋରା କିଛିଦିନ ତଳେ ଚିକିତ୍ସା ପାଇଁ ଛତିଶଗଡ଼ର ରାୟପୁର ଯାଇଥିଲେ। ସେଠାକାର ଏକ ଘରୋଇ ହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶନିବାର ଭୋର ସମୟରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ଫେରୁଥିଲେ।ଆମ୍ବୁଲାନ୍ସରେ ଦୁଇ ମହିଳା ରୋଗୀଙ୍କ ସହ ସେମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଥିଲେ। ହେଲେ ଯାତ୍ରା ଅଧାରେ ସେମାନଙ୍କ ସହ ଘଟିଗଲା ଏହି ଭୟଙ୍କର ଦୁର୍ଘଟଣା।
ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ଆମ୍ବୁଲାନ୍ସ
ରାୟପୁର-ଗୋପାଳପୁର ଜାତୀୟ ରାଜପଥ ୩୫୩ରେ ବାଗବାହାରାର ଦେବାଶିଷ ଘରୋଇ ସ୍କୁଲ ନିକଟରେ ରାସ୍ତାରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଆମ୍ବୁଲାନ୍ସଟି ଟ୍ରକ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଆମ୍ବୁଲାନ୍ସଟି ଓଲଟି ପଡ଼ିବା ସହ ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଥିବା ବସନ୍ତା ପ୍ରଧାନ ଓ ଉତ୍ତରା ଦୋରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ବସନ୍ତାଙ୍କ ସ୍ୱାମୀ ବରିହା ପ୍ରଧାନ, ଉତ୍ତରାଙ୍କ ସମ୍ପର୍କୀୟ ଲକ୍ଷ୍ମୀ ଦୋରାଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଥିଲେ।
ଗୁରୁତରଙ୍କ ମଧ୍ୟରୁ ଜଣେ ରାୟପୁର ସ୍ଥାନାନ୍ତର
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଗବାହାରା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରିବା ସହ ଆହତ ତିନିଜଣଙ୍କୁ ଉଦ୍ଧାର କରି ବାଗବାହାରା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ମହାସମୁନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ମହାସମୁନ୍ଦରେ ଚିକିତ୍ସାଧୀନ ଅଛନ୍ତି।ଦୁର୍ଘଟଣା ପରେ ବାଗବାହାରା ପୁଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଓ ଟ୍ରକ୍କୁ ଜବତ କରିଛି। ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା, ଆମ୍ବୁଲାନ୍ସର ବେଗ ଏବଂ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ପୁଲିସ ତଦନ୍ତ ଚଳାଇଛି।