ନୂଆଦିଲ୍ଲୀ: ପାକିସ୍ତାନକୁ ହରାଇ U-19 ଏସିଆ କପ୍ ୨୦୨୬ ଟାଇଟଲ୍ ଜିତିବା ପରେ ଭାରତୀୟ ଯୁବ କ୍ରିକେଟ୍ ଦଳକୁ ଚାରିଆଡ଼ୁ ମିଳୁଛି ପ୍ରଶଂସା ଓ ଶୁଭେଚ୍ଛା। ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ଜରିଆରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।
ମୋଦୀ କହିଛନ୍ତି, ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ଚମତ୍କାର ଦିନ। ଯୁବ କ୍ରିକେଟରମାନଙ୍କ ଉପଲବ୍ଧି ପାଇଁ ସେ ଗର୍ବିତ। ଏହି ବିଜୟ ଦେଶର ଅନେକ ଯୁବକଙ୍କୁ କ୍ରିକେଟ୍ ପ୍ରତି ଆକର୍ଷିତ କରିବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହ ଭବିଷ୍ୟତରେ ଦଳର ସଫଳତା କାମନା କରିଛନ୍ତି।
ମୋଦୀଙ୍କ ବାର୍ତ୍ତାରେ ଯୁବ ଖେଳାଳିଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ନିଜ X ପୋଷ୍ଟରେ ଭାରତୀୟ ଯୁବ ଦଳର ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଐତିହାସିକ ସଫଳତା କେବଳ ଟ୍ରଫି ଜିତିବାରେ ସୀମିତ ନୁହେଁ, ବରଂ ଆଗାମୀ ପିଢ଼ିର ଖେଳାଳିଙ୍କ ପାଇଁ ଏକ ପ୍ରେରଣା ବୋଲି ସେ ଉଲ୍ଲେଖ କରିଛନ୍ତି। ଦଳର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ମଧ୍ୟ ଶୁଭକାମନା ଦେଇଛନ୍ତି।
ଶେଷ ବଲ୍ରେ ପାକିସ୍ତାନକୁ ମାତ୍ ଦେଲା ଭାରତ
ଉଲ୍ଲେଖଯୋଗ୍ୟ, U-19 ଏସିଆ କପ୍ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୩୭ ରନ୍ କରିଥିବା ବେଳେ ଭାରତ ସମ୍ମୁଖରେ ଥିଲା ୩୩୮ ରନ୍ର ବିଶାଳ ଲକ୍ଷ୍ୟ। ଜବାବରେ ଭାରତ ୯ ୱିକେଟ୍ ହରାଇ ଶେଷ ବଲ୍ରେ ବିଜୟ ହାସଲ କରିଥିଲା।
ମୋହିତ ଉଲୱା ଓ ମୈନାଲ ଚୌହାନଙ୍କ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍ର ଗତି ବଦଳାଇ ଦେଇଥିଲା। ମୋହିତ ଶେଷ ବଲ୍ରେ ଚୌକା ମାରି ଭାରତକୁ ୧ ୱିକେଟ୍ରେ ରୋମାଞ୍ଚକର ବିଜୟ ଦେଇଥିଲେ। ଏହି ବିଜୟ ସହ ଭାରତୀୟ ଯୁବ ଦଳ ପୁଣିଥରେ ଏସିଆ କପ୍ ଟ୍ରଫି ନିଜ ନାମରେ କରିଛି। ଦଳର ଏହି ସଫଳତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।