ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସମୁଦ୍ର ଭିତରେ ଧିରେ ଧିରେ ଘନୀଭୂତ ହୋଇ ରବିବାର ଭୋରୁ ଏହା ଅବପାତରେ ପରିଣତ ହୋଇଛି । ସମ୍ଭାବ୍ୟ ବାତ୍ୟା 'ଅକ୍ୱନ' ଆସନ୍ତା ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହୋଇ ଆଜି ସକାଳ ୫ଟା ୩୦ ମିନିଟରେ ଅବପାତରେ ପରିଣତ ହୋଇଛି। ଅବପାତରୁ ଗଭୀର ଅବପାତ ଏବଂ ୧୬ ତାରିଖ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । କ୍ରମଶଃ ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ବେଳକୁ ଏହା ଅତି ଭୀଷଣ ବାତ୍ୟା ରୂପ ନେବାର ପୂର୍ବାନୁମାନ କରିଛି ଆଇଏମଡି ।
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟ୍କା ପବନର ବେଗ ୧୪୫ କିମି ଛୁଇଁବା ନେଇ ଆକଳନ କରାଯାଇଛି ।
ଆଇଏମଡିର ସଦ୍ୟତମ ସୂଚନା ମୁତାବକ, ଗତ ୩ ଘଣ୍ଟାରେ ଅବପାତ ୧୦ କିମି ବେଗରେ ଆଗକୁ ବଢୁଛି । ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦରଠାରୁ ୧୧୩୦ କିମି ଏବଂ ବିଶାଖାପାଟଣାଠାରୁ ୧୦୧୦ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ସମ୍ଭବତଃ ଏହା ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବରୁ ଆକଳନ କରାଯାଉଥିଲା । କିନ୍ତୁ ଆଇଏମଡିର ତାଜା ରିପୋର୍ଟ ଅନୁସାରେ ଏହା ଦକ୍ଷିଣ ଓଡ଼ିଶାକୁ ମଧ୍ୟ କ୍ଷତି ଗ୍ରସ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ନଭେମ୍ବର ୧୯, ୨୦ ଓ ୨୧ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶାରେ ୧୯ ଓ ୨୦ ତାରିଖରେ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦-୬୦ କିମି ବେଗରେ ପବନ ସହ ଝଟକା ୭୦ କିମି ପର୍ଯ୍ୟନ୍ତ ହେବାର ଆକଳନ ରହିଛି।
ଏହା ସହିତ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କ କୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।