ଗଞ୍ଜାମ: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସମ୍ଭାବ୍ୟ ବାତ୍ୟାର ରୂପ ନେବାକୁ ଯାଉଥିବାବେଳେ ଆଗୁଆ ସତର୍କ ହୋଇଛି ପ୍ରଶାସନ। ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଏବଂ ଡ୍ୟାମ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି। ସେହିପରି ଡ଼ହ ଜଳଭଣ୍ଡାରରୁ ୧୦ ପ୍ରତିଶତ ଜଳ ଖାଲି କରାଯାଇଥିବା ସୂଚନା ମିଳିଛି।
ରବିବାର ରାତିରେ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁସାରେ ସାଇରନ୍ ବଜାଇ ଜଳ ନିଷ୍କାସନ କରାଯାଇଛି। ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ଘୋଡ଼ାହାଡ଼ ଜଳଭଣ୍ଡାରର ଗୋଟିଏ ଗେଟ୍କୁ ୦.୫୦ ମିଟର ଖୋଲାଯାଇଥିଲା। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି।
ଗେଟ୍ ଖୋଲିବା ସମୟରେ ଜଳଭଣ୍ଡାରର ଜଳସ୍ତର ୧୧୬.୮୬ ମିଟର ରହିଥିଲା। ଏହାର ମୋଟ ଲାଇଭ୍ ଷ୍ଟୋରେଜ୍ କ୍ଷମତା ୨୭୭୩.୯୬ ହେକ୍ଟର ମିଟର ଥିବାବେଳେ ସେହି ସମୟରେ ୯୦.୮୮ ପ୍ରତିଶତ ଜଳ ମହଜୁଦ ଥିଲା। ସେହିପରି ରାତି ୧୨ଟା ୦୫ ମିନିଟ୍ରେ ବାଘଲଟି ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍ ଗେଟ୍କୁ ୦.୬୦ ମିଟର ଖୋଲାଯାଇଛି। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୦.୭୨ ଘନମିଟର ଜଳ ନିଷ୍କାସନ ହେଉଛି।
ଉଭୟ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ ସହ ତଳମୁଣ୍ଡରେ ଜଳ ପ୍ରବାହ ସ୍ଥିତି ଉପରେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ନଜର ରଖିଛନ୍ତି। ଡ୍ୟାମ୍ର ସୁରକ୍ଷା ଓ ଜଳ ପରିଚାଳନା ପାଇଁ SOP ଅନୁସାରେ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ସୋମବାର ସକାଳେ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ଜଳଭଣ୍ଡାରରୁ ପାଣି ଛଡ଼ାଯାଉଛି।