ବାତ୍ୟା ‘ଆକଭାନ୍’କୁ ନେଇ ଓଡ଼ିଶାରେ ବଢ଼ିଲା ଚିନ୍ତା। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
୧୮ ନଭେମ୍ବରରୁ ବଢ଼ିବ ବର୍ଷା
ନଭେମ୍ବର ୧୮ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଦିନ କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
୧୯ରେ ବର୍ଷାର ପ୍ରକୋପ ଅଧିକ
ନଭେମ୍ବର ୧୯ ତାରିଖରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି।
୨୦ରେ ଦକ୍ଷିଣ ଓଡ଼ିଶାକୁ ଅଧିକ ପ୍ରଭାବ
ସେହିପରି ନଭେମ୍ବର ୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ସମେତ ଅନ୍ୟ ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିପାରେ।
ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ IMD ନଜର ରଖିଛି।