ନୂଆଦିଲ୍ଲୀ: ଜୟ ଶାହ ନିଜର ପଦ ବଜାୟ ରଖିଛନ୍ତି । ଜୟ ଶାହ ପୁଣି ଥରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଲୀରେ ଆୟୋଜିତ ଆଇସିସି ବୋର୍ଡ ବୈଠକରେ ଜୟଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ଜୟଙ୍କ ନାମ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି ।
ଜୟ ଶାହ କ୍ରିକେଟରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୮ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଖାଲି ସେତିକି ମହିଳା କ୍ରିକେଟକୁ ଶୀର୍ଷରେ ପହଁଚାଇବାରେ ଜୟଙ୍କର ଉଲ୍ଲେଖନୀୟ ଭୂମିକା ରହିଛି । ସେହିପରି ମହିଳା କ୍ରିକେଟକୁ ଆହୁରି ଆଗକୁ ନେବାକୁ ବୋର୍ଡ ଜୟଙ୍କ ଉପରେ ଭରସା କରିଛି । ସେହିପରି କ୍ରିକେଟରେ ବ୍ୟବସାୟ ବଢ଼ାଇବା ଏବଂ ନୂଆ ଦର୍ଶକଙ୍କୁ ଯୋଡ଼ିବା ଭଳି ଦାୟିତ୍ୱ ଜୟଙ୍କ ଉପରେ ରହିଛି ।
ଜୟ ଶାହ, ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ଯେ, କ୍ରୀଡ଼ା ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ରୋମାଞ୍ଚକର ସମୟ ମଧ୍ୟରେ କ୍ରିକେଟ୍ ପ୍ରବେଶ କରିବାକୁ ଯାଉଛି । ତାହା ହେଉଛି ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ (LA28) । ଅଲିମ୍ପିକରେ କ୍ରିକେଟର ପ୍ରତ୍ୟାବର୍ତ୍ତନ, ନୂତନ ଦର୍ଶକଙ୍କ ନିକଟରେ ପହଞ୍ଚିବା ଓ ଖେଳାଳି ଏବଂ ପ୍ରଶଂସକଙ୍କ ଏକ ନୂତନ ପିଢ଼ିକୁ ପ୍ରେରଣା ଦେବା ପାଇଁ ଏକ ଅସାଧାରଣ ସୁଯୋଗ। ଆଇସିସିର ଦାୟିତ୍ୱ ସଫଳ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ। ଖେଳାଳି, ପ୍ରଶଂସକ, ବାଣିଜ୍ୟିକ ଅଂଶୀଦାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ମନରେ ରଖି ଖେଳର ଭବିଷ୍ୟତ ଗଢ଼ିବାକୁ ପଡିବ ବୋଲି ଜୟ କହିଛନ୍ତି ।
ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ରିଚାର୍ଡ ଥମ୍ପ୍ସନ୍, ଆଇସିସି ସ୍ୱତନ୍ତ୍ର ନିର୍ଦ୍ଦେଶକ ଡା. ରୋସ୍ ରିୱାଜ, ଆଇସିସି ଉପାଧ୍ୟକ୍ଷ ତଥା ଜିମ୍ବାୱେ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ତମ୍ବେଗ୍ୱା ମୁକୁହଲାନୀ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ୍ ଡିରେକ୍ଟର୍ ରୋଜର ଟ୍ୱାସ୍ ପ୍ରମୁଖ ଜୟ ଶାହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜୟ ଶାହ କ୍ରିକେଟର ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି । ୨୦୨୪, ଡିସେମ୍ବରରେ ଆଇସିସି ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ଏସିଆନ କ୍ରିକେଟ ପରିଷଦର ସଭାପତି(୨୦୨୧), ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ସମ୍ପାଦକ (୨୦୧୯), ଗୁଜରାଟ କ୍ରିକେଟ ଆସୋସିଏସନ୍ ଯୁଗ୍ମ ସମ୍ପାଦକ (୨୦୧୩)ଭାବରେ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି ।