ନୂଆଦିଲ୍ଲୀ: ଅଣ୍ଡର୍-୧୯ ଏସିଆ କପର ଫାଇନାଲରେ ପ୍ରବେଶ କରିଛି ଭାରତୀୟ କ୍ରିକେଟ୍ ଦଳ । ସେମି ଫାଇନାଲରେ ଆଫଗାନିସ୍ତାନକୁ 8 ୱିକେଟରେ ହରାଇ ଫାଇନାଲରେ ସ୍ଥାନ କବଜା କରିଛି । ଭାରତ ଫାଇନାଲରେ ତାର ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ତେଣୁ ଫାଇନାଲ ମୁକାବିଲା ରୋମାଞ୍ଚକର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
ସେମିଫାଇନାଲରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ଫିଲ୍ଡିଂ କରିଥିଲା । ଆଫଗାନିସ୍ତାନ ୫୦ ଓଭରରେ ୨୨୭ ରନ୍ କରି ଭାରତକୁ ୨୨୮ ରନ୍ ଟାର୍ଗେଟ୍ ଦେଇଥିଲା । ଭାରତ ୩୬.୫ ଓଭରରେ ମାତ୍ର ଦୁଇ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ଏକ ଚମତ୍କାର ଇନିଂସ୍ ଖେଳି ୯୩ ରନ୍ ସଂଗ୍ରହ କରିଥିଲେ। ସେ ୯୦ଟି ବଲ୍ରୁ ୯୩ ରନ୍ର ଏକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଚନ୍ଦାନିଙ୍କୁ ଆଫଗାନିସ୍ତାନ ଅଧିନାୟକ ସୋହେଲ ଖାନ ଆଉଟ୍ କରିଥିଲେ । ଏହା ବ୍ୟତୀତ ଆର୍ଯ୍ୟବୀର ସେହୱାଗ ଅପରଜିତ ୫୧ ରନ୍ ଏବଂ ଭି.କେ. ବିନୀତ ୫୭ ରନ୍ କରି ଦଳ ପାଇଁ ଯୋଗଦାନ ଦେଇଥିଲେ ।
ଏହା ସହିତ ଭାରତ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ଭେଟିବ । ପୂର୍ବ ଏସିଆ କପରେ ପାକିସ୍ତାନ ଭାରତକୁ ହରାଇଥିଲା । ତେଣୁ ଭାରତ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।
ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ଆଫଗାନିସ୍ତାନ ପକ୍ଷରୁ ୱିକେଟ୍କିପର-ବ୍ୟାଟ୍ସମ୍ୟାନ୍ ନୋମାନ ସାଲାରଜାଇ ଏବଂ ଶାହ ଫୈଜଲ ରହିମ ପ୍ରତ୍ୟେକେ ୫୧ ରନ୍ କରିଥିଲେ। ଅଧିନାୟକ ସୋହେଲ ଖାନ ଅପରାଜିତ ୩୬ ଏବଂ ସୁଭାନ ଜାଖାଇଲ ୩୧ ରନ୍ ମଧ୍ୟ ଉପଯୋଗୀ ଅବଦାନ ରଖିଥିଲେ।
ଭାରତ ପକ୍ଷରୁ ଦ୍ରୁତ ବୋଲର ଇଶାନ ସୁଦ ତିନୋଟି ୱିକେଟ ନେଇଥିଲେ। ଆର୍ୟ୍ୟନ୍ ସାଭସାନି ମଧ୍ୟ ଦୁଇଟି ୱିକେଟ ନେଇଥିଲେ। କାବ୍ୟା ପଟେଲ, ଯଶବର୍ଦ୍ଧନ ଚୌହାନ ଏବଂ ଅର୍ଜୁନ ରାଜପୁତ ପ୍ରତ୍ୟେକ ଗୋଟିଏ ୱିକେଟ ନେଇଥିଲେ।